୩ ଦିନ ସ୍କୁଲ ବନ୍ଦ ରହିବା ନେଇ ଘୋଷଣା କଲେ ସରକାର

ଭୁବନେଶ୍ବର : କାଲିଠୁ ୩ ଦିନ ସ୍କୁଲ ବନ୍ଦ । ୩ ଦିନ ସ୍କୁଲ ବନ୍ଦ ରହିବା ନେଇ ଘୋଷଣା କଲେ ସରକାର । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତାକାଲିଠୁ ୩ ଦିନ ଯାଏଁ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆସନ୍ତାକାଲିଠୁ ଅର୍ଥାତ ଏପ୍ରିଲ ୧୮ରୁ ୨୦ ତାରିଖ ଯାଏ ସବୁ ସ୍କୁଲ ବନ୍ଦ ରହିବ। ବର୍ତ୍ତମାନ ରାଜ୍ୟରେ ପ୍ରବଳ ଖରା ହେଉଛି। ସୋମବାର ରାଜ୍ୟର ୧୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରେକର୍ଡ କରାଯାଇଥିବା ବେଳେ ମଙ୍ଗଳବାର ୨୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରେକର୍ଡ ହୋଇଛି। ତେବେ ଆଜି ପାରଦ ଆହୁରି ବଢିପାରେ କାରଣ ଆଜି ସକାଳୁ ପ୍ରବଳ ତାତି ଅନୁଭୂତ ହେଉଛି। ଏ ନେଇ ଭୁବନେଶ୍ୱର  ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ଆଗାମୀ ତିନି ଦିନ ମଧ୍ୟରେ ଦିନର ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୫ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତା’ସହିତ ଉପକୂଳ ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ଉଷ୍ମ-ଆଦ୍ର ପାଣିପାଗ ସ୍ଥିତି ରହିବାର ସମ୍ଭାବନା ଥିବାରୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଖାସ୍‌ କରି ୧୮ ଓ ୧୯ ତାରିଖରେ ଖରା ପିକ୍‌ରେ ରହିବ ବୋଲି ସୂଚନା ରହିଛି ।