ନୂଆଦିଲ୍ଲୀ : ଖୋଲିଲା ବାବା କେଦାରନାଥଙ୍କ କପାଟ । ଆଜି ସକାଳ ପ୍ରାୟ ୭ଟାରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ବାବାଙ୍କ ଦ୍ବାର । ଏହା ଭଗବାନ ଶିବଙ୍କୁ ସମର୍ପିତ ବାରଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ ଏବଂ ଉତ୍ତରାଖଣ୍ଡରେ ଅବସ୍ଥିତ ଚାରିଧାମ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ପ୍ରତିବର୍ଷ ଶୀତଦିନେ ପ୍ରବଳ ତୁଷାରପାତ ହେତୁ, ମନ୍ଦିରର ଦ୍ୱାର ବନ୍ଦ ହୋଇଯାଏ ଏବଂ ପବିତ୍ର ଅକ୍ଷୟ ତୃତୀୟାର ଶୁଭ ମୁହୂର୍ତ୍ତ ଦେଖିବା ପରେ ଏହାକୁ ଖୋଲାଯାଏ ।

ଦ୍ବାର ଖୋଲିବାର କିଛି ସମୟ ପରେ ବାବାଙ୍କ ଦର୍ଶନ କରିଥିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । କପାଟ ଉଦଘାଟନ ପାଇଁ ମନ୍ଦିରକୁ ୧୦୮ କ୍ବିଣ୍ଟାଲ ଫୁଲରେ ସଜା ଯାଇଥିଲା । ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀ କେଦାରନାଥ ଧାମର ଦ୍ୱାର ଖୋଲିବା ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ଉପସ୍ଥିତିରେ ସାଂସ୍କୃତିକ କାଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ଭକ୍ତମାନଙ୍କ ଉପରେ ଫୁଲ ବର୍ଷା କରାଯାଇଥିଲା ।

ପ୍ରତିବର୍ଷ ଶୀତ ଋତୁରେ ତୁଷାରପାତ ଯୋଗୁଁ କେଦାରନାଥ ଧାମର ଦ୍ୱାର ବନ୍ଦ ହୋଇଯାଏ ଏବଂ ଗ୍ରୀଷ୍ମ ଋତୁରେ ପୁଣି ଥରେ ଦ୍ୱାର ଖୋଲାଯାଇଥାଏ । ଶୀତଦିନେ ୬ ମାସ ବନ୍ଦ ହେବା ପରେ ଶୁକ୍ରବାର ସକାଳେ କେଦାରନାଥ ଧାମର ଦ୍ୱାର ଭକ୍ତ ମାନଙ୍କ ପାଇଁ ଖୋଲାଯାଇଥିଲା ।