(ଭୁବନେଶ୍ୱର/ସରୋଜ ରାଉତ) : ରାଜା ଆଚାର୍ଯ୍ୟ ଗିରଫ । ପୁଣି ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟକୁ ଗିରଫ କଲା କମିଶନରେଟ ପୁଲିସର ଆଣ୍ଟି ଏକ୍ସଟରସନ ଫୋର୍ସ । ଲୋକଙ୍କଠାରୁ ଦାଦାବଟି ଆଦାୟ ଅଭିଯୋଗରେ ରାଜାକୁ ଉଠାଇନେଲା ପୁଲିସ । ତାକୁ କ୍ୟାପିଟାଲ ଥାନାରେ କରାଯାଉଛି ଜେରା । ୟୁନିଟ-୧ର ଜଣେ ବ୍ୟକ୍ତିଙ୍କଠାରୁ ଏକ ସରକାରୀ ଜାଗାରୁ ସେ ୨୦ ହଜାର ଟଙ୍କା ଦାଦାବଟି ଆଦାୟ କରିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୁଲିସ ରାଜାକୁ ଗିରଫ କରିଛି । ତା ସହ ତାର ୨ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ପୁଲିସ ।
ଗତକାଲି କମିଶନରେଟ ପୁଲିସ ଦାଦାବଟି ଆଦାୟକୁ ବରଦାସ୍ତ କରିବ ନାହିଁ ବୋଲି ପୁଲିସ କମିଶନର ଘୋଷଣା କରିଥିଲେ । ବଟି ଆଦାୟ ରୋକିବାକୁ କମିଶନରେଟ ପୁଲିସ ପକ୍ଷରୁ ମଧ୍ୟ ଏକ ଆଣ୍ଟି ଏକ୍ସଟର୍ସନ ୱିଂର ଗଠନ କରାଯାଇଥିଲା । ଏହି ଘୋଷଣାକୁ ୨୪ ଘଣ୍ଟା ନ ପୁରୁଣୁ ଆଜି ରାଜାକୁ ଗିରଫ କରାଯାଇଛି । ରାଜା ନାମରେ ଏନଏସଏ ଲଗାଇବା ସହ ତଡିପାର ଘୋଷଣା କରିବାକୁ ପୁଲିସ ଯୋଜନା କରୁଥିବା ଜଣାପଡିଛି । ଗିରଫ ରାଜା ନାମରେ ପୂର୍ବରୁ ଏକାଧିକ ମାମଲା ରହିଛି । ଜିମ ମାଷ୍ଟର ବିରଞ୍ଚି ଦାସ ହତ୍ୟା ଘଟଣାରେ ମଧ୍ୟ ପୂର୍ବରୁ ପୁଲିସ ରାଜାକୁ ଗିରଫ କରିଥିଲା । ତେବେ ପରେ ସେ ଜାମିନରେ ବାହାରିଥିଲା ।