ପ୍ରସିଦ୍ଧ ଓଳକଣା ଦୋଳ ମେଲଣ ଅନୁଷ୍ଠିତ

ସାଲେପୁର: ଆଜି ପବିତ୍ର ଦୋଳପୂର୍ଣ୍ଣିମା । ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ କରାଯଇଥାଏ ଦୋଳ ମାହୋତ୍ସବ । ସେହି ପରି କଟକ ଜିଲ୍ଲାର ଓଳକଣା ଠାରେ ପୁରାଣ ପ୍ରସିଦ୍ଧ ଓଳକଣା ଦୋଳ ମେଳଣ ଅନୁଷ୍ଠିତ ହୋଇ ଯାଇଛି। ଏହି ପୁରାଣ ପ୍ରସିଦ୍ଧ ମେଳଣ ଅନେକ କାଳରୁ ହୋଇ ଆସୁଅଛି । ଆଉ ଏହି ମେଲଣ ଦେଖିବାକୁ ଦୁର ଦାରନ୍ତରରୁ ଅନେକ ଭକ୍ତ ଅସିଥାନ୍ତି । ମହା ପ୍ରଭୁଙ୍କର ଏହି ମେଲଣ ପଛରେ ରହିଛି ଅନେକ ଆଧ୍ୟାତ୍ମିକ କାହାଣୀ । ଏହା ସହ ବିଶ୍ୱାସ ରହିଛି ଯେ ଏହି ଓଳକଣା ମେଲଣ କୁ ଯିଏ ଥରୁଟିଏ ଆସେ ତାହାର ମନୋକାମନା ପୂରଣ ହୋଇଥାଏ । ଏହା ସହ ଭକ୍ତ ଓ ଭଗବାନ ଙ୍କ ସହ ମିଳନ ଘଟିଥାଏ ।

ପୂରାଣ ଯୁଗର କଥା। ପାଞ୍ଚ ପାଣ୍ଡବ ଭାଈ ମାନେ ପଶା ଖେଳରେ କୌରବ ମାନଙ୍କ ଠାରୁ ହାରିଯିବା ଫଳରେ ସର୍ତ୍ତ ଅନୁଯାୟୀ ୧୨ ବର୍ଷ ଅଜ୍ଞାତ ବନବାସରେ ରହି ଯେତେବେଳେ ହସ୍ତିନାପୁରକୁ ଫେରିଲେ, ସେତେବେଳେ ତାଙ୍କୁ ପଡ଼ା ଦିଆ ଯାଇନଥିଲା ରହିବା ପାଇଁ । ମହାପ୍ରଭୁ ଶ୍ରୀକୃଷ୍ଣ ପାଣ୍ଡବ ମାନଙ୍କ ପାଇଁ କୌରବ ରାଜା ଦୂର୍ୟ୍ୟଧୋନ ପାଖକୁ ଯାଇଥିଲେ ଏମାନଙ୍କୁ ୫ ଗୋଟି ପଡ଼ା ପାଇଁ ଭିକ୍ଷା ମାଗିଥିଲେ। କିନ୍ତୁ ଅହଙ୍କାରୀ ରାଜା ଦୂର୍ୟୋଧନ କହିଥିଲେ “ବିନା ଯୁଦ୍ଧେ ଦେବିନାହିଁ ସୂଚଗ୍ରେ ମେଦିନି” । ମହାପ୍ରଭୁ ଶ୍ରୀକୃଷ୍ଣ ମନଦୁଃଖର ଫେରିଆସି ଓଳକଣା ପଡିଆ ଠାରେ ବିଦୁରଙ୍କ ଆଶ୍ରମଠାରେ ପହଂଚିଥିଲେ । ବିଦୁର ମହାପ୍ରଭୁ ଶ୍ରୀକୃଷ୍ଣକୁ ଶାଗ ଭାତ ଦେଇ ତାଙ୍କ କ୍ଷୁଧା ମେଣ୍ଟାଇଥିଲେ ।
ପ୍ରଭୁ ଶ୍ରୀକୃଷ୍ଣ ଭକ୍ତ ବିଦୁରଙ୍କ ଆତିଥ୍ୟ ରେ ମୁଗ୍ଧ ହୋଇ କହିଥିଲେ, ମୋତେ କି ବର ମାଗୁଛୁ ମାଗ । ବିଦୂର କହିଲେ ପ୍ରଭୁ ମୁଁ ଆପଣଙ୍କୁ ହର ଆଉ ହରି ରୂପରେ ଦେଖିବା ପାଇଁ ଚାହୁଁଚି। ପ୍ରଭୁ ଶ୍ରୀକୃଷ୍ଣ ବିଦୂରଙ୍କୁ କହିଲେ, ଫାଲଗୁନ ଶୁକ୍ଲ ଚତୁର୍ଦ୍ଦଶୀ ତିଥିର ବ୍ରାହ୍ମ ମୁହୂର୍ତ୍ତରେ ମୋତେ “ହରିହର” ରୂପରେ ଦର୍ଶନ ପାଇବୁ। ସେହି କଥାକୁ ରକ୍ଷା କରି ପ୍ରଭୁ ଶ୍ରୀକୃଷ୍ଣ, ଭଦ୍ରେଶ୍ୱର ବିମାନରେ ରାଧାକୃଷ୍ଣଙ୍କ ବିଗ୍ରହ ସହ ସଂହାରକର୍ତା ହରଙ୍କ ଚୁଳମାଳ ସହ ଏଠାକୁ ଆସିଥାନ୍ତି।

ଶ୍ରୀ ବୀରଭଦ୍ରେଶ୍ୱLରଙ୍କ ପୀଠରୁ ଆସୁଥିବା ଏହି ପୁଷ୍ପକ ବିମାନରେ ରାଧାକୃଷ୍ଣଙ୍କ ବିଗ୍ରହ ସହ “ହର”ଙ୍କୁ ଦ୍ଵାରପାଳ ରୂପେ ଜଗିବା ପାଇଁ ତମ୍ବା ନିର୍ମିତ ଦୁଇଟି ନାଗ ବିଗ୍ରହ ସ୍ଥାପନ କରାଯାଏ। ଏହି ବିମାନ ସହ ୧୦୮ ଘଣ୍ଟୁଆ ଘଣ୍ଟ ନାଦ କରି ପ୍ରଭୁଙ୍କୁ ପାଛୋଟି ଆଣନ୍ତି ମେଲଣ ପଡିଆକୁ। ଆଧ୍ୟାତ୍ମିକର ପରିବେଶ ସୃଷ୍ଟି ହୁଏ ସମଗ୍ର ଅଂଚଳରେ। ଆଉ ଭକ୍ତ ବିଦୁର ମାଗିଥିବା ବର ଅନୁସାରେ ଶ୍ରୀକୃଷ୍ଣ ଆଜିର ଦିନର ବ୍ରାହ୍ମ ମୁହୂର୍ତ୍ତରେ “ହରିହର” ରୂପେ ଦର୍ଶନ ଦିଅନ୍ତି। ଶତାଧିକ ବିମାନରେ କେବଳ ରାଧା କୃଷ୍ଣ ଆସୁଥିବାବେଳେ କେବଳ ଗୋଟିଏ ବିମାନରେ ହର ଓ ହରି ଆସିଥାନ୍ତି । ଏହି ପରମ୍ପରା କାହିଁ କେଉଁ ପୁରାଣ ଯୁଗରୁ ପ୍ରଚଳିତ ହୋଇ ଆସୁଅଛି।ସବୁଠାରୁ ବଡ଼ କଥା ହେଲା, ଏହି ଓଳକଣା ମେଲଣ ପଡିଆ କୁ ଯେତେ ବିମାନ ଆସିଥାନ୍ତି କାହାରିକୁ ନିମନ୍ତ୍ରଣ କରାଯାଇ ନଥାଏ, କି ବିଦାକି ଦିଆ ଯାଇନଥାଏ। ଏଠି ଭକ୍ତ ଆଉ ଭଗବାନ ସମସ୍ତେ ଏକକାର। ଏହି ଓଳକଣା ପଡିଆ କୁ ପୂର୍ବ ଦିଗରୁ ଆଳି ରାଜାଘର ବିମାନଙ୍କ ସହ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ବିମାନ ପ୍ରବେଶ କଲା ପରେ ଅନ୍ୟ ବିମାନ ପ୍ରବେଶ କରିଥାନ୍ତି । ପଶ୍ଚିମ ଦିଗରୁ ଲଳିତଗିରି ବିମାନ ପ୍ରବେଶ କଲା ପରେ ଅନ୍ୟ ବିମାନ ପ୍ରବେଶ କରନ୍ତି । ସେହିପରି ଉତ୍ତରଦିଗରୁ ଓଳାସୁଣୀ ବିମାନ ସହ ମିଶ୍ର ଘର ବିମାନ ପଡିଆକୁ ପ୍ରବେଶ କଲାପରେ ଶେଷରେ ଅନ୍ୟ ବିମାନ ପ୍ରବେଶ କରିଥାନ୍ତି ।

ସେହିପରି ଦକ୍ଷିଣ ଦିଗରୁ ମଣ୍ଡୁଅ ବିମାନ ପ୍ରବେଶ କଲା ପରେ ଅନ୍ୟ ବିମାନ ସବୁ ପ୍ରବେଶ କରନ୍ତି ।ସମସ୍ତ ବିମାନ ପଡ଼ିଆରେ ଥିବା ହର ଆଉ ହରିଙ୍କ ଦ୍ଵାର ଦେଇ ପ୍ରବେଶ କରନ୍ତି । ସମସ୍ତ ବିମାନ କୁ ପାରମ୍ପରିକ ପଟୁଆରରେ ପଡିଆକୁ ପ୍ରବେଶ କରନ୍ତି । ଯଥା ଘଣ୍ଟ ଘଣ୍ଟା , କୀର୍ତ୍ତନ , ଷେଣ୍ଢ ନାଚ, ଡିବି ଝାଡ଼ ଓ ମଶାଲ ବତି ଶହ ଆତାସବାଜି ସହ ଯେତେବଳେ ପଡ଼ିଆରେ ପ୍ରବେଶ ହୋଇଥାଏ ସେତେବେଳେ ଆଧ୍ୟାତ୍ମିକ ଭାବବେଗର ପରିବେଶ ସୃଷ୍ଟି ହୋଇଥାଏ। ଶେଷରେ ବୀର ଭଦ୍ରେଶ୍ୱରଙ୍କ ବିମାନ ଆସିଲା ପରେ ବିଦୁର ଙ୍କ ନିକଟରେ ଆଳତି ଏକା ସାଙ୍ଗରେ ହେଲା ପରେ ମେଳଣ କାର୍ଯ୍ୟ ସମାପନ ହୋଇଥାଏ । ଓଡ଼ିଶାର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ହରିହର ଦର୍ଶନ ନିମନ୍ତେ । ବିଶ୍ୱାସ ଅଛି ଏହି ଓଲକଣା ମେଲଣକୁ ଯିଏ ଥରୁଟିଏ ଆସେ ତାହାର ମନୋକାମନା ପୂରଣ ହେବା ସହ ଭକ୍ତ ଓ ଭଗବାନ ଙ୍କ ସହ ମିଳନ ଘଟିଥାଏ ବୋଲି ବିଶ୍ୱାସ ଅଛି। ସୁରକ୍ଷା ନିମନ୍ତେ ମାହାଙ୍ଗା ଓ ଡେରାବିଶ ପୋଲିସ୍ ସମେତ ଓଳକଣା ମେଳଣ କମିଟି ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥାଏ ।ଏହି ଅବସରରେ ବହୁ ଉଠା ଦୋକାନୀ ମାନେ ନିଜର ବ୍ୟବସାୟ ପ୍ରତିଷ୍ଠାନ କରିଥାନ୍ତି ।