ପରିବାର ଲୋକେ ଯାହାକୁ ମୃତ ବୋଲି ଭାବୁଥିଲେ, ସେ ମୋମୋସ୍ ଖାଉଥିବା ଅବସ୍ଥାରେ ମିଳିଲେ

0

ନୋଏଡ଼ା: ବିହାର ଭାଗଲପୁର ଅଞ୍ଚଳର ଜଣେ ନିଖୋଜ ବ୍ୟକ୍ତିଙ୍କୁ ନୋଏଡ଼ାର ଏକ ‘ମୋମୋସ୍’ ଦୋକାନରୁ ତାଙ୍କ ଶଳା ପାଇଛନ୍ତି । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ । ଚଳିତ ବର୍ଷ ଜାନୁଆରି ମାସରେ ନିଖୋଜ ହେବା ପରେ ମୃତ ବୋଲି ଧରିନିଆଯାଇଥିବା ବିହାରର ଭାଗଲପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ନୋଏଡ଼ାର ଏକ ‘ମୋମୋସ୍’ ଷ୍ଟଲ୍ରୁ ତାଙ୍କ ଶଳା ପାଇଛନ୍ତି। ନିଶାନ୍ତ କୁମାର ନାମକ ଉକ୍ତ ନିଖୋଜ ବ୍ୟକ୍ତିଜଣକ ମରିଯାଇଥିବେ ବୋଲି ପରିବାର ଲୋକେ ଭାବିଥିଲେ। ବାହାଘର ଉତ୍ସବରେ ଯୋଗ ଦେବା ପାଇଁ ଜାନୁଆରି ୩୧ ତାରିଖ ଦିନ ଶ୍ୱଶୁରଘରକୁ ଯାଇ ସେ ନିଖୋଜ ହୋଇଯାଇଥିଲେ। ଫଳରେ ଶଳା ରବିଶଙ୍କର ସିଂହ ସୁଲ୍ତାନ୍ଗଞ୍ଜ ଥାନାରେ ନିରୁଦ୍ଦିଷ୍ଟ ମାମଲା ଫାଇଲ୍ କରିଥିଲେ। କିନ୍ତୁ, ନିଶାନ୍ତଙ୍କ ପରିବାର ଲୋକେ ରବିଶଙ୍କରଙ୍କ ନାମରେ ଅପହରଣ ମାମଲା ରୁଜୁ କରିଥିଲେ।

ନିଶାନ୍ତ ନିଖୋଜ ହେବାର ୪ ମାସ ପରେ ରବିଶଙ୍କର ଦିନେ ନୋଏଡ଼ାର ସେକ୍ଟର୍ ୫୦ରେ ଜଣେ ‘ମୋମୋସ୍’ ଷ୍ଟଲ୍ ମାଲିକ ଖାଇବାକୁ ମାଗୁଥିବା ଜଣେ ବ୍ୟକ୍ତିଙ୍କୁ ଘଉଡ଼ାଉଥିବା ଦେଖିଲେ। ଭିକାରି ଭଳି ଦିଶୁଥିବା ସେ ବ୍ୟକ୍ତିଜଣକୁ ଖାଇବାକୁ ଦିଅନ୍ତୁ ବୋଲି ରବିଶଙ୍କର କହିବା ସହିତ ତା’ପାଇଁ ପଇସା ଦେବେ ବୋଲି କହିଲେ। କିଛି ସମୟ ପରେ ରବିଶଙ୍କର ଭିକାରିକୁ ତା’ର ପରିଚୟ ଓ ଠିକଣା ପଚାରିଲେ। ସେ ବିହାର ରାଜ୍ୟର ଭାଗଲପୁର ଜିଲ୍ଲା ଅନ୍ତର୍ଗତ ନୌଗଛିଆର ଲୋକ ଓ ତାଙ୍କ ନାମ ନିଶାନ୍ତ କୁମାର ଏବଂ ସେ ପୂର୍ବତନ ବ୍ୟାଙ୍କ୍ କର୍ମଚାରୀ ସଚ୍ଚିଦାନନ୍ଦ ସିଂହଙ୍କ ପୁଅ ବୋଲି କହିବାରୁ ରବିଶଙ୍କର ଚମକି ପଡ଼ିଥିଲେ।

ସବୁ ଶୁଣି ସାରି ରବିଶଙ୍କର ନୋଏଡ଼ା ପୁଲିସକୁ ସୂଚନା ଦେଇଥିଲେ। ନୋଏଡ଼ା ପୁଲିସ ବିହାର ପୁଲିସ ସହିତ ଯୋଗାଯୋଗ କରି ଜାଣିଲା ଯେ, ୪ ମାସ ହେବ ସେଠାକାର ଜଣେ ବ୍ୟକ୍ତି ନିରୁଦ୍ଦିଷ୍ଟ ହୋଇଯାଇଛନ୍ତି। ନିଶାନ୍ତଙ୍କ ପରିବାର ଲୋକଙ୍କ ପାଖକୁ ତାଙ୍କର ଫଟୋ ବି ପଠାଗଲା। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ନିଶାନ୍ତଙ୍କୁ ନେଇ ଭାଗଲପୁର ଯାଇଛନ୍ତି। ଏହି ଘଟଣାରେ ଥାନାରେ ଦୁଇଟି ମାମଲା ରୁଜୁ କରାଯାଇଥିବାରୁ ମାମଲା ବଡ଼ ଜଟିଳ ବୋଲି କୁହାଯାଉଛି। ନିଶାନ୍ତ ବିହାରରୁ କେମିତି ନୋଏଡ଼ାରେ ପହଞ୍ଚିଲେ ତାହା ଜାଣିବାକୁ ଉଦ୍ୟମ ଚଳାଇଛି।