ରିପୋର୍ଟସ ଟୁଡେ (ବ୍ୟୁରୋ) : ୨୦୦୧ ସେପ୍ଟେମ୍ବର ୧୧ ସକାଳ ୮ଟା ୪୫ । ଆତଙ୍କବାଦୀ ସଙ୍ଗଠନ ଅଲକାଏଦାର ଭୟଙ୍କର ରୂପ ଦେଖିଥିଲା ବିଶ୍ୱର ସର୍ବଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଆମେରିକାରେ ଆତଙ୍କବାଦୀ ଖେଳିଥିଲେ ରକ୍ତର ହୋଲି । ୧୯ ଆତଙ୍କବାଦୀଙ୍କ ଦ୍ୱାରା ହାଇଜାକ୍ କରାଯାଇଥିଲା ଚାରୋଟି ବିମାନ । ଏଥିରୁ ଦୁଇଟି ବିମାନ ନ୍ୟୁୟର୍କର ଆର୍ଥିକ କେନ୍ଦ୍ରସ୍ଥଳ ୱାର୍ଲ୍ଡ ଟ୍ରେଡ୍ ସେଣ୍ଟରକୁ ଦେଇଥିଲା ଧକ୍କା । ବିିମାନର ବେଗ ଥିଲା ଘଣ୍ଟା ପ୍ରତି ୯୮୭.୬ କିଲୋମିଟର । ମାତ୍ର କେଇ ମିନିଟରେ ଧରାସାୟୀ ହୋଇଯାଇଥିଲା ଗଗନଚୁମ୍ବି ଅଟ୍ଟାଳିକା । ଏହି ଆତଙ୍କବାଦୀ ଆକ୍ରମଣରେ ୩୦୦୦ ସାଧାରଣ ଲୋକ ପ୍ରାଣ ହରାଇଥିଲେ । ମାତ୍ର କିଛି କ୍ଷଣରେ ବଦଳି ଗଲା ବିଶ୍ୱ ଇତିହାସ । ଆତଙ୍କବାଦୀ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଛାତିରେ ରକ୍ତର ହୋଲି ଖେଳିବାରେ ହୋଇଥିଲେ ସଫଳ । ଏହାରି ମଧ୍ୟରେ ବିତି ଯାଇଛି ୨୦ ବର୍ଷ । କିନ୍ତୁ ଘଟଣାଟି ଆଜିବି ସତେଜ ହୋଇ ରହିଛି ।
୧୧ ସେପ୍ଟେମ୍ବର ୨୦୦୧! ମଙ୍ଗଳବାର ସକାଳେ ନ୍ୟୁୟର୍କର ଆର୍ଥିକ ବ୍ୟବସ୍ଥାର କେନ୍ଦ୍ର ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ଚଳଚଞ୍ଚଳ ହେବାରେ ଲାଗିଥିଲା । ଠିକ ଏହି ସମୟରେ ନର୍ଥ ଟାୱାରରେ ମାଡ ହୋଇଥିଲା ବୋଇଂ ୭୬୭ ବିମାନ । ପ୍ରାୟ ୧୦୦ ମିନିଟ୍ ଭିତରେ ତାସର ଘର ପରି ଏହି ସୁୁଉଚ୍ଚ ଅଟ୍ଟାଳିକାର ବିଭିନ୍ନ ମହଲା ଜଳିବାରେ ଲାଗିଥିଲା । ଏହାପରେ ଠିକ୍ ୧୮ ମିନିଟ ପରେ ସକାଳ ୯ଟା୩ରେ ଡବ୍ଲୁଟିସିର ଅନ୍ୟ ଟାୱାରରେ ପିଟି ହୋଇଥିଲା ଅନ୍ୟ ଏକ ବିମାନ । ଆଖି ପିଛୁଳାକେ ଭୁସୁଡି ପଡିଥିଲା ଅଟ୍ଟଳିକା । ଅଟ୍ଟାଳିକାର ଚାରିପାଖ କଳାଧୁଁଆରେ ଆଚ୍ଛାଦିତ ହୋଇଯାଇଥିଲା । ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ପୁଣି ଶୁଭିଥିଲା ଆଉ ୨ଟି ବିସ୍ପୋରଣର ଶବ୍ଦ । ଅନ୍ୟ ଦୁଇଟି ଜାହାଜ ଯଥାକ୍ରମେ ପେଣ୍ଟାଗନ ଓ ପେନସିଲଭାନିଆ ନିକଟରେ କ୍ରାଶ୍ ହୋଇଯାଇଥିଲା ।
ଏତେ ବଡ ଅଟ୍ଟାଳିକା ମାତ୍ର କିଛି ସମୟରେ ଧରାଶାୟୀ ହୋଇଯାଇଥିଲା । କିନ୍ତୁ ଭଗ୍ନାବଶେଷରୁ ମାତ୍ର ୨୧ ଜୀବତଙ୍କ ଭିନ୍ନ ବାକି ସବୁ ଥିଲେ ଖଣ୍ଡବିଖଣ୍ଡିତ, ମୃତ ବା ଗୁରୁତର । ଏହି ଆକ୍ରମଣରେ ଶରୀରର ମୋଟ ୨୧,୯୦୦ ବିଖଣ୍ଡିତ ଅଂଶ ମିଳିଥିଲା । ଏଥିରେ ୩୦୦୦ ହଜାର ଲୋକ ପ୍ରାଣ ହରାଇଥିଲେ । କିନ୍ତୁ ଆଜି ଯାଏଁ ୪୦ ପ୍ରତିଶତଙ୍କ ପରିଚୟ ମିଳିପାରିନାହିଁ ।
ଆହାତଙ୍କ ମଧ୍ୟରୁ ଅନେକ ଏବେବି ସୁସ୍ଥ ଜୀବନ ଜୀଇଁବା ପାଇଁ ସଂଘର୍ଷରତ । ବିଶ୍ୱକୁ ଥରାଇ ଦେଇଥିବା ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଅଲକାଏଦା ମୁଖ୍ୟ ଓସାମା ବିନ୍ ଲାଡେନ୍କୁ ହତ୍ୟା
କରିଥିଲା ଆମେରିକା । ଲାଡେନଙ୍କୁ ଶରଣ ଦେଇଥିବା ତାଲିବାନକୁ ୨୦୦୧ରେ ଆଫଗାନିସ୍ଥାନ ଶାସନରୁ ହଟାଇ ଦେଇଥିଲା ।
୯/୧୧ ଆକ୍ରମଣକୁ ୨୦ ବର୍ଷ ବିତିଯାଇଥିଲେ ମଧ୍ୟ ମୃତକମାନଙ୍କ ପରିବାର ଏବେ ବି ନ୍ୟାୟ ଅପେକ୍ଷାରେ ରହିଛନ୍ତି । ୯/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ଖଲିଦ ଶେଖ୍ ମହମ୍ମଦଙ୍କ ସମେତ ଅନ୍ୟ ୪ ଅଭିଯୁକ୍ତ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଚଳିତ ସପ୍ତାହରେ ଆମେରିକାର ସାମରିକ ଅଦାଲତରେ ଏହି ଚାରି ଆତଙ୍କବାଦୀ ହାଜର ହୋଇଥିଲେ । ମାମଲାର ବିଚାର ପାଇଁ ଜଣେ ନୂଆ ସାମରିକ ବିଚାରପତି ନିଯୁକ୍ତ ହୋଇଛନ୍ତି ।
ଲାଡେନର ହତ୍ୟାପରେ ଆତଙ୍କବାଦୀ ଗତିବିଧି ହ୍ରାସ ପାଇବା ବଦଳରେ ବୃଦ୍ଧି ପାଇଛି । ଆମେରିକା ଆଫଗାନିସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ପରେ ଆତଙ୍କବାଦୀ ସଂଗଠନ ଅଲକାଏଦା ଓ ତାଲିବାନ ଭଳି ଆତଙ୍କବାଦୀ ନିଜର ସଂଗଠନକୁ ଅଧିକ ମଜବୁତ କରିସାରିଛନ୍ତି ।