ଭିନ୍ନ ଓ ଉଲ୍ଲେଖନୀୟ ନେତୃତ୍ୱ ଲାଗି ସମ୍ମାନିତ ହେବେ ମୁଖ୍ୟମନ୍ତ୍ରୀ

କ୍ୟାପିଟାଲ ଫାଉଣ୍ଡେସନ ପକ୍ଷରୁ ପ୍ରଦାନ କରାଯିବ ଜୀବନ ବ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ୱର: ଭିନ୍ନ ଓ ଉଲ୍ଲେଖନୀୟ ନେତୃତ୍ୱ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ନୂଆଦିଲ୍ଲୀ ପକ୍ଷରୁ ଜୀବନ ବ୍ୟାପୀ ସାଧନା ସମ୍ମାନ (ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ) ପ୍ରଦାନ କରାଯିବ। ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ଏବଂ ଜଷ୍ଟିସ ଏକେ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରଦାନ କରାଯିବ। ତେବେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଅଡିଟୋରିଅମ ସେଣ୍ଟର ନୂଆଦିଲ୍ଲୀରେ ସେପ୍ଟେମ୍ବର ୪ ତାରିଖ ଦିନ ପ୍ରଦାନ କରାଯିବ। କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟିର ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ପଟ୍ଟନାୟକ ଦାୟିତ୍ୱ ନେବା ପରେ ଓଡି଼ଶାରେ ପ୍ରଗତିଶୀଳ ଯାତ୍ରା ଆରମ୍ଭ ହେଲା ଓ ପରବର୍ତ୍ତୀ ସମୟରେ ରାଜ୍ୟ ରାଜ୍ୟ ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତଗତିରେ ଆଗକୁ ବଢିଥିଲା। ଦୁଇ ଦଶନ୍ଧିର ନେତୃତ୍ୱରେ ତାଙ୍କର ସରଳତା, ଅମାୟିକ, ଦୃଢ ନେତୃତ୍ୱ ଲାଗି ରାଜ୍ୟବାସୀଙ୍କ ହୃଦରେ ପ୍ରିୟ ମଣିଷ ହୋଇପାରିଛନ୍ତି। କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ୧୯୮୭ରେ ପ୍ରତିଷ୍ଠା ହୋଇଥିଲା। କ୍ୟାପିଟେଲ ଫାଉଣ୍ଡେସନ ଫୋରମରେ ସାଂସଦ, ସରକାରୀ କର୍ମଚାରୀ, ବିଚାରପତି କୂଟନୀତିଜ୍ଞ ପ୍ରମୁଖ ନିଜର ଭାବ ବିନିମୟ କରିଥାନ୍ତି। ପୂର୍ବରୁ କ୍ୟାପିଟାଲ ଫାଉଣ୍ଡେସନ ଆୱାର୍ଡରେ ପୂର୍ବତନ ପ୍ରଧାନମନ୍ତ୍ରୀ ଆଇକେ ଗୁଜୁରାଲ, ବରିଷ୍ଠ ଓକିଲ ରାମଜେଠାମାଳିନୀ, ପୂର୍ବତନ ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କୁ ସମ୍ମାନିତ କରାଯାଇଥିଲା।