ଦେଶରେ ବ୍ୟାଙ୍କଗୁଡ଼ିକର ମିଶ୍ରଣ କରି ଏକ ବିଶ୍ବସ୍ତରୀୟ ବ୍ୟାଙ୍କ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି

କେନ୍ଦ୍ର ସରକାର ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବା ପାଇଁ ଯୋଜନା କରୁଛନ୍ତି । ଯାହାର ଫଳସ୍ଵରୂପ, ସରକାର ବ୍ୟାଙ୍କଗୁଡ଼ିକର ମହାମିଶ୍ରଣ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଦେଶରେ ବ୍ୟାଙ୍କଗୁଡ଼ିକର ମିଶ୍ରଣ କରି ଏକ ବିଶ୍ବସ୍ତରୀୟ ବ୍ୟାଙ୍କ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ଦେଶରେ ଥିବା ସମସ୍ତ ବ୍ୟାଙ୍କର ମିଶ୍ରଣ ଘଟାଇ କେବଳ ୫ଟି ବ୍ୟାଙ୍କ ରଖିବାକୁ ପ୍ରସ୍ତାବ ଥିବା ସୂଚନା ମିଳିଛି ।

ରିପୋର୍ଟ ଅନୁସାରେ, ‘ନିତି’ ଆୟୋଗର ସୁପାରିସ ଆଧାରରେ ସରକାର ଛୋଟ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କଗୁଡ଼ିକୁ ବଡ଼ ବ୍ୟାଙ୍କ ସହିତ ମିଶ୍ରଣ କରିପାରନ୍ତି । ଏପରି ହେଲେ  ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା ଏବଂ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ମିଶ୍ରଣ ହେବ । ତେବେ ଏହା ଗ୍ରାହକମାନଙ୍କ ପାଇଁ କିଛିଟା ସମସ୍ୟା ଆଣିପାରେ । ମିଶ୍ରଣ ପରେ ବ୍ୟାଙ୍କଗୁଡ଼ିକୁ ନୂତନ ବ୍ୟାଙ୍କ ପାଇଁ ସମସ୍ତ ପ୍ରାସଙ୍ଗିକ ଡକ୍ୟୁମେଣ୍ଟ ପ୍ରକ୍ରିୟାକରଣ କରିବାକୁ ପଡିବ, ଯାହା ସେମାନଙ୍କର କାର୍ଯ୍ୟଭାର ବୃଦ୍ଧି କରିବ । ଭାରତ ଏବେ ବିଶ୍ୱସ୍ତରୀୟ ବ୍ୟାଙ୍କ ପ୍ରତିଷ୍ଠା ଲକ୍ଷ୍ୟରେ ଆଗକୁ ବଢୁଛି । ଉଦ୍ଦେଶ୍ୟ ରହିଛି, ଏଭଳି ବ୍ୟାଙ୍କ ପ୍ରତିଷ୍ଠା କରିବା, ଯାହା ଭିଭିଭୂମି, ମ୍ୟାନୁଫାକଚରିଂ ଏବଂ ଟେକ୍ନୋଲୋଜି ଭଳି ବୃହତ୍ ଆବଶ୍ୟକତାକୁ ପୂରଣ କରିବା ସହିତ  ବଡ଼ ଆକାରରେ ଋଣ ଦେଇପାରିବ।