ଦୁଷ୍ମନ୍ତ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କଲେ ବିଜେଡି ବିଧାୟକ

ପାରାଦୀପ : ଦୁଷ୍ମନ୍ତ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ପାରାଦୀପର ବିଜେଡି ବିଧାୟକ ସମ୍ବିତ ରାଉତରାୟ । ପରିବାରର ସମସ୍ତ ଭଲ ମନ୍ଦ ବୁଝିବେ ବୋଲି ବିଧାୟକ ସମ୍ବିତ ରାଉତରାୟ ପ୍ରତିଶ୍ରୁତି ଦେଇଛନ୍ତି। ଦୁଷ୍ମନ୍ତ ଦାସଙ୍କ ଦୁର୍ଭାଗ୍ୟଜନକ ବିୟୋଗରେ ସେ ଅତ୍ୟନ୍ତ ମର୍ମାହତ ବୋଲି କହିଛନ୍ତି ସମ୍ବିତ। ଦୁଃଖଦ ସମୟରେ ପରିବାର ସହ ଅଛନ୍ତି ଓ ତାଙ୍କ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରିଥିବା କହିଛନ୍ତି ସମ୍ବିତ ରାଉତରାୟ ।
ଦୁଷ୍ମନ୍ତଙ୍କୁ କଟକ ବଡ଼ ମେଡିକାଲକୁ କିଏ ଡାକି ନେଇଥିଲା, ତାହାର ଯାଞ୍ଚ ପାଇଁ ମେଡିକାଲ ସିସିଟିଭି ଫୁଟେଜ ଯାଞ୍ଚ ପାଇଁ ସେ ଦାବି କରିଛନ୍ତି। ରାଜ୍ୟ ସରକାର ଦୁଷ୍ମନ୍ତଙ୍କ ପତ୍ନୀଙ୍କୁ ଚାକିରି ଦେବାକୁ ଘୋଷଣା କରିଛନ୍ତି। ମୃତକଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ସରକାରୀ ସହାୟତା ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୩୦ ହଜାର ଟଙ୍କା ଦିଆଯାଇଛି।
ଦୁଇବର୍ଷ ତଳେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ପ୍ରଥମେ କୁଜଙ୍ଗ ଓ ପରେ କଟକରେ ଚିକିତ୍ସିତ ହୋଇଥିଲେ ଦୁଷ୍ମନ୍ତ । ସେଠାରେ ତାଙ୍କର ସମସ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା। ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ତାଙ୍କର ଅପରେସନ ମଧ୍ୟ କରାଯାଇଥିଲା। କିନ୍ତୁ ତାଙ୍କ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ଚିକିତ୍ସା ସମୟ ସାପେକ୍ଷ ଥିଲା। ସବୁ ସରକାରୀ ସାହାଯ୍ୟ ଯୋଗାଇ ଦିଆଯାଇଥିଲା। ତେବେ ତାଙ୍କ ମାନସିକତା ସହ ଖେଳି ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ସମାଜସେବୀ। ଦୁଷ୍ମନ୍ତଙ୍କ ମାଆ ଏତଲା ଦେବା ପରେ କୁଜଙ୍ଗ ଥାନା ପକ୍ଷରୁ ମାମଲା ରୁଜୁ କରି ମଙ୍ଗଳାବାଗ ଥାନାକୁ ହସ୍ତାନ୍ତର କରାଯାଇଛି।