ନୂଆଦିଲ୍ଲୀ : ଗର୍ଭପାତ ପାଇଁ ନୂଆ ନିୟମ ଆସିଛି । ମହିଳାଙ୍କ ପାଇଁ ଗର୍ଭପାତ ଅବଧି ଗର୍ଭଧାରଣର ୨୦ରୁ ୨୪ ସପ୍ତାହକୁ ବୃଦ୍ଧି କରାଯାଇଛି । ଏହି ନିୟମ କେତକ ବର୍ଗର ମହିଳା ମାନଙ୍କ ପାଇଁ ଆସିଛି । ଯୌନ ହିଂସାର ଶିକାର ବା ଦୁଷ୍କର୍ମ ପୀଡିତା , ନାବାଳିକା , ବିଧବା, ଛାଡପତ୍ର ପାଇଥିବା ମହିଳା, ଦିବ୍ୟଙ୍ଗ ମହିଳା, ମାନସିକ ବିକାର ଗ୍ରସ୍ଥ ମହିଳା ମାନଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ । ସରକାରଙ୍କ ଦ୍ୱାରା ଘୋଷିତ ବିପର୍ୟ୍ୟୟ ବା ଜରୁରୀକାଳୀନ ଅବସ୍ଥାରେ ଥିବା ମହିଳା ବି ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିପାରିବେ। ଚଳିତ ବର୍ଷ ସଂସଦରେ ଗୃହିତ ନିୟମ ବର୍ତ୍ତମାନ କାର୍ୟ୍ୟକାରୀ ହୋଇଛି।
ପ୍ରଚଳିତ ନିୟମ ଅନୁସାରେ ୧୨ରୁ ୨୦ ସପ୍ତାହ ମଧ୍ୟରେ ଗର୍ଭପାତ ପାଇଁ ଦୁଇ ଜଣ ଡାକ୍ତରଙ୍କ ଅନୁମତି ଦରକାର ପଡୁଥିଲା । ତେବେ ନୂଆ ନିୟମ ଅନୁସାରେ, ଗର୍ଭଧାରଣର ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବା କ୍ଷେତ୍ରରେ ରାଜ୍ୟସ୍ତରୀୟ ମେଡିକାଲ ବୋର୍ଡ ଅନୁମତି ଦେବେ । ଗର୍ଭପାତ ସଂକ୍ରାନ୍ତ ସମସ୍ତ ତଥ୍ୟ ଓ ରିପୋର୍ଟକୁ ସମୀକ୍ଷା କରିବା ପରେ ମେଡିକାଲ ବୋର୍ଡ ଏହାକୁ ଅନୁମତି ଦେବେ ବା ଅଗ୍ରାହ୍ୟ କରିପାରିବେ । ନିଷ୍ପତ୍ତି ଲାଗି ବୋର୍ଡ ୫ ଦିନ ସମୟ ନେବେ। ଯଦି ଗର୍ଭପାତକୁ ଅନୁମତି ଦିଆଯାଏ, ତେବେ ସମସ୍ତ ସତର୍କତା ରକ୍ଷା ଉପରେ ବୋର୍ଡ ଗୁରୁତ୍ୱ ଦେବ । ତେବେ ଏହି ନୂଆ ନିୟମ ଆସିବା ପରେ ଅନେକ ସଂଗଠନ ସହିତ ବୁଦ୍ଧିଜୀବି ମହଲରେ ସ୍ୱାଗତ କରାଯାଇଛି ।