ଭାରତରେ କାରଖାନା ସ୍ଥାପନ ପାଇଁ ଆଲୋଚନା କରୁଛି ‘ଟେସଲା’

ନୂଆଦିଲ୍ଲୀ:  ଆଞ୍ଚଳିକ କାରଖାନା ଖୋଲିବା ଲାଗି ଇଲେକ୍ଟ୍ରିକ୍ ଯାନ ନିର୍ମାତା ‘ଟେସଲା’ ଭାରତ ସରକାରଙ୍କ ସହିତ ସକ୍ରିୟ ଭାବେ ଆଲୋଚନା ଚଳାଇଥିବା କଥା ଗଣମାଧ୍ୟମରେ ପ୍ରକାଶ ପାଇଛି । ଭାରତରେ ଇଲେକ୍ଟ୍ରିକ୍ ଯାନ ନିର୍ମାଣ କରି ସୁଲଭ ମୂଲ୍ୟରେ ଜନସାଧାରଣଙ୍କୁ ଯୋଗାଇଦେବା ‘ଟେସଲା’ର ଉଦ୍ଦେଶ୍ୟ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ବର୍ଷକୁ ପାଞ୍ଚଲକ୍ଷ ପର୍ୟ୍ୟନ୍ତ ଇଲେକ୍ଟିକ୍ ଯାନ ଉତ୍ପାଦନ କରିବାକୁ ‘ଟେସଲା’ ଯୋଜନା କରିଥିବା ବେଳେ ଏହି ଯାନଗୁଡ଼ିକର ସର୍ବନିମ୍ନ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଆରମ୍ଭ ହେବ। ଯଦି ଏହି ଆଲୋଚନା ସଫଳ ହୁଏ ତେବେ ଭାରତରେ କ୍ରମଶଃ ବୃଦ୍ଧି ପାଉଥିବା ଇଲେକ୍ଟ୍ରିକ୍ ଯାନ ବଜାରରେ ଉଲ୍ଲେଖନୀୟ ବିକାଶ ଘଟିବ ବୋଲି ଆଶା କରାଯାଉଛି।

ଭାରତରେ ଆଞ୍ଚଳିକ କାରଖାନା ସ୍ଥାପନ କରିବାକୁ ମେ ମାସରେ ‘ଟେସ୍ଲା’ ଆଗ୍ରହ ପ୍ରକାଶ କରିଥିଲା। ଚୀନ୍ରେ ଯେମିତି କାରଖାନା ଖୋଲି ‘ଟେସଲା’ ଇଲେକ୍ଟ୍ରିକ୍ ଯାନ ରପ୍ତାନି କରୁଛି, ଭାରତରେ ମଧ୍ୟ ସେଭଳି କରିବା କମ୍ପାନି ଲକ୍ଷ୍ୟ ରଖିଛି। ଅତୀତରେ ‘ଟେସଲା’ ଭାରତୀୟ ବଜାରରେ ପ୍ରବେଶ କରିବାକୁ ଆଗ୍ରହୀ ଥିଲା କିନ୍ତୁ, ଉଚ୍ଚ ଟିକସ ଦର ଯୋଗୁଁ ଯୋଜନା ପ୍ରତ୍ୟାହାର କରିଥିଲା।