୨୫ ବର୍ଷ ଲଢିବା ପରେ ନ୍ୟାୟ ପାଇଲେ ବହିଷ୍କୃତ କନେଷ୍ଟବଳ

କଟକ: ଦୀର୍ଘ ୨୫ ବର୍ଷ ପରେ ପୋଲିସ୍‌ କନେଷ୍ଟବଳ ପାଇଛନ୍ତି ନ୍ୟାୟ । ଚାକିରିରୁ ବହିଷ୍କୃତ ପୋଲିସ୍‌ କନଷ୍ଟେବଳଙ୍କୁ ନ୍ୟାୟ ଦେଲେ ହାଇକୋର୍ଟ । ଗତ ୨୫ ବର୍ଷ ଧରି ଅଦାଲତ ଦୌଡି ଦୌଡି ବିଜୟ ଲାଭ କରିଛନ୍ତି ୧୯୯୪ ମସିହାରେ ବହିଷ୍କୃତ କନେଷ୍ଟବଳ ଦୋଳମଣି ବିଶି । ତାଙ୍କୁ ଚାକିରିରେ ପୁନଃ ଅବସ୍ଥାପିତ କରିବାକୁ ହାଇକୋର୍ଟ ଶୁଣାଇଛନ୍ତି ରାୟ। ତେବେ ନୋ ଓ୍ବାର୍କ ନୋ ପେ’ ନୀତିରେ ତାଙ୍କୁ ଆର୍ଥିକ ସୁବିଧା ମିଳିବନି ।
ଦୋଳମଣି ବିଶି କନେଷ୍ଟବଳ ଭାବେ ୧୯୯୩ରେ ଓଡିଶା ପୁଲିସରେ ଚାକିରି ପାଇଥିଲେ । କିନ୍ତୁ ଉଚ୍ଚତା ୧ ସେମି କମ୍‌ ରହିଥିବା ଦର୍ଶାଇ ୧୯୯୪ ମସିହାରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା । ଏହାକୁ ନେଇ ସେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଦ୍ବାରସ୍ଥ ହେବା ସହିତ ବିଭିନ୍ନ ଫୋରମ୍‌ ଯଥା ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ୍‌ରେ ନିଜ ପକ୍ଷ ରଖିଥିଲେ । କିନ୍ତୁ କୌଣସିଠି ତାଙ୍କ ଗୁହାରି ଶୁଣାଯାଇ ନ ଥିଲା । ତେଣୁ ଶେଷରେ ସେ ଅଦାଲତର ଦ୍ବାରସ୍ଥ ହୋଇଥିଲେ । ଦୀର୍ଘ ୨୫ ବର୍ଷ ଧରି ସେ ଆଇନଗତ ଲଢେଇ ଲଢିବା ପରେ ବିଜୟୀ ହାସଲ କରିଛନ୍ତି । ପୋଲିସ୍‌ ମାନୁଆଲ୍‌କୁ ତର୍ଜମା କରି ଅଦାଲତ ଦୋଳମଣି ବିଶିଙ୍କୁ ଚାକିରିର ପୁନଃ ଅବସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।