ନୂଆଦିଲ୍ଲୀ: ସାରା ଭାରତବାସୀ ଏବଂ କ୍ରୀଡାପ୍ରେମୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତର ଦୁର୍ବଳ ପ୍ରଦର୍ଶନ । ପ୍ରଥମ ମ୍ୟାଚରେ ପାକିସ୍ତାନ ଏବଂ ଦ୍ୱିତୀୟରେ ନ୍ୟୁଜିଲାଣ୍ଡ ନିକଟରୁ ଶୋଚନୀୟ ପରାଜୟ ପରେ ଭାରତର ସେମିଫାଇନାଲ ଆଶା ଏକ ପ୍ରକାର ମଉଳି ଯାଇଛି । ତେବେ ଭାରତର ଏପରି ସ୍ଥିତି ଏବେ କେବଳ ଦଳ ପାଇଁ ନୁହେଁ ଲୋକପ୍ରିୟ ଷ୍ପୋର୍ଟସ ଚ୍ୟାନେଲ ଷ୍ଟାର ସ୍ପୋର୍ଟସକୁ ମଧ୍ୟ ଚିନ୍ତାରେ ପକାଇଛି ।
ଚଳିତ ବିଶ୍ୱକପ ସେମିଫାଇନାଲ ରେସରୁ ଭାରତୀୟ ଦଳ ବାଦ ପଡିଲେ ଷ୍ଟାର ସ୍ପୋର୍ଟସକୁ ଏକ ବଡ ଝଟକା ଲାଗିପାରେ । କାରଣ ଚ୍ୟାନେଲର ଆୟ ମୁଖ୍ୟତଃ ଭାରତୀୟ ଦଳର ପ୍ରଦର୍ଶନ ଉପରେ ନିର୍ଭର କରୁଛି । ଦଳ ବିଶ୍ୱକପରୁ ବାହାରିଗଲେ ଖେଳ ପ୍ରସାରଣକାରୀ ସଂସ୍ଥାମାନଙ୍କର ପ୍ରବଳ କ୍ଷତି ହେବ । ତେବେ କମ୍ପାନୀର ପାଖାପାଖି ୮୦ରୁ ୧୦୦ କୋଟି ଟଙ୍କା କ୍ଷତି ହେବ ବୋଲି ରିପୋର୍ଟରୁ ଜଣାଯାଇଛି । ବିଜ୍ଞାପନ ସହିତ ଅନ୍ୟାନ୍ୟ କ୍ଷେତ୍ରରୁ କମ୍ପାନୀ ୧୨୦୦ କୋଟି ଟଙ୍କା ଆୟ କରିବା ପାଇଁ ଲକ୍ଷ୍ୟ ରଖିଛି । ଡିଜନୀ ହଟଷ୍ଟାର୍ ପାଇଁ ୨୭୫ରୁ ୩୦୦ କୋଟି ଟଙ୍କାର ବିଜ୍ଞାପନ ଚୁକ୍ତି ସରିଥିବା ବେଳେ ଷ୍ଟାର ସ୍ପୋର୍ଟ ନେଟଓ୍ୱର୍କ ୯୦୦ କୋଟିର ବିଜ୍ଞାପନ ଚୁକ୍ତି କରିଛି । ଆହୁରି ମଧ୍ୟ ଭାରତ ଆଗକୁ ବଢିବ ବୋଲି କମ୍ପାନୀ ଆଶା କରିଛି । ଯଦି ଦଳ ବାଦ୍ ପଡେ ତେବେ ନିବେଶକଙ୍କର କ୍ଷତି ହେବ ବୋଲି କମ୍ପାନୀର ଜଣେ ମାର୍କେଟିଂ କର୍ମଚାରୀ କହିଛନ୍ତି ।