ଭୁବନେଶ୍ଵର: ଭୁବନେଶ୍ବର ଟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁ ମୃତ୍ୟୁ ମାମଲା । ୪ ଜଣଙ୍କୁ ଗିରଫ କରାଯାଇଥିବା ସ୍ପଷ୍ଟ କଲେ ପୋଲିସ କମିଶନର । ଗିରଫ ୪ ଜଣ ହେଉଛନ୍ତି ଗଜପତି ଜିଲ୍ଲାର । ତେବେ ଏହି ମାମଲାରେ ଗିରଫଦାରି ସଂଖ୍ୟା ବଢିବା ନେଇ ସମ୍ଭାବନା ରହିଥିବା କହିଛନ୍ତି ପୋଲିସ କମିଶନର । ବିଦ୍ୟାଧର ସାହୁ ମୃତ୍ୟୁ ମାମଲାରେ ଅପହରଣ, ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ୪ ଗିରଫ ହୋଇଛନ୍ତି । ଜବ୍ ଦେବାକୁ କହି ଏମାନଙ୍କ ଠାରୁ ଟଙ୍କା ଓ ଡକ୍ୟୁମେଣ୍ଟ ନିଆଯାଇଥିଲା । ଟଙ୍କା ଓ ଡକ୍ୟୁମେଣ୍ଟ ଫେରସ୍ତ ପାଇଁ ଏମାନେ ବିଦ୍ୟାଧରକୁ କହୁଥିଲେ । କିନ୍ତୁ ବିଦ୍ୟାଧର ଧରାଛୁଆଁ ନ ଦେବାରୁ ୧୬ ତାରିଖରେ ତାଙ୍କୁ ଅପହରଣ କରିଥିଲେ ଯୁବକ । ବିଦ୍ୟାଧର ଏମାନଙ୍କ ହେପାଜତରେ ଯାଜପୁରରେ ଆତ୍ମହତ୍ୟା କରିଥିଲେ । ମୃତଦେହ ଚନ୍ଦକା ଆଣି ଗଛରେ ଟାଙ୍ଗି ଆତ୍ମହତ୍ୟାର ରୂପ ଦେବାକୁ ଚାହୁଁଥିଲେ ଉକ୍ତ ଅଭିଯୁକ୍ତ ।

ସୂଚନା ଅନୁସାରେ, କ୍ୟାବ୍ ଡ୍ରାଇଭର୍ ବିଦ୍ୟାଧର ସାହୁ ଜଣେ ମହିଳା କନ୍ସଲଟାଣ୍ଟ ପାଖରେ କାମ କରୁଥିଲେ । ଉକ୍ତ ମହିଳାଙ୍କ ନାଁ ଜ୍ୟୋସ୍ନା, ସେ ବିଭିନ୍ନ ସରକାରୀ ଓ ବେସରକାରୀ ଚାକିରି ଦେବାକୁ କହି ବିଭିନ୍ନ ଲୋକଙ୍କ ଠାରୁ ୫ କୋଟିରୁ ଅଧିକ ଟଙ୍କା ଠକେଇ କରିଛନ୍ତି । ଆଉ ଜ୍ୟୋସ୍ନାଙ୍କ ଠକେଇ ରାକେଟ୍ରେ ବିଦ୍ୟାଧର ସାଜିଥିଲେ ମଧ୍ୟସ୍ଥି । କ୍ୟାବ୍ ଚାଳକ ବିଦ୍ୟାଧରଙ୍କ ଜରିଆରେ ଜ୍ୟୋସ୍ନା ଚାକିରି କରାଇ ଦେବାକୁ ଟଙ୍କା ଆଦାୟ କରୁଥିଲେ । ହେଲେ ଚାକିରି ନ ପାଇ ଟଙ୍କା ଦେଇଥିବା ଲୋକ ବିଦ୍ୟାଧରଙ୍କୁ ଧରିଥିଲେ, ଟଙ୍କା ମାଗିଥିଲେ । ଆଉ ବିଦ୍ୟାଧର ଟଙ୍କା ଦେଇ ନ ପାରିବାରୁ ୧୫ ତାରିଖରେ ଠକେଇର ଶିକାର କିଛି ଜଣ ତାଙ୍କୁ ଅପହରଣ କରି ଯାଜପୁର ନେଇ ଯାଇଥିଲେ ।

ଅପହରଣକାରୀ ବିଦ୍ୟାଧରଙ୍କୁ ଯାଜପୁର ନେଇ ଏକ ଘରେ ତାଲା ପକାଇ ରଖିଥିଲେ । ତାଲା ଖୋଲିବା ବେଳକୁ ବିଦ୍ୟାଧର ଗାମୁଛା ଲଗାଇ ଝୁଲି ପଡ଼ିଥିବା ଦେଖିଥିଲେ । ମୃତ୍ୟୁ ପରେ ଡରି ଯାଇ ମୃତଦେହକୁ ତାଙ୍କ କାରରେ ଆଣି ଚନ୍ଦକା ଜଙ୍ଗଲରେ ଫିଙ୍ଗି ଦେଇଥିଲେ ଅପହରଣକାରୀ । ଅପହରଣକାରୀଙ୍କ କବ୍ଜାରେ କ୍ୟାବ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାରୁ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି । ତେବେ ଅପହରଣ ପଛର କାରଣ ଚାକିରି ନାଁରେ କୋଟି କୋଟି ଟଙ୍କା ଠକେଇ ବୋଲି ଜଣାପଡ଼ିଛି ।