ଅଜବ ଚିଠି : ଫେବ୍ରୁଆରି ୧୪ ପୂର୍ବରୁ ପ୍ରତ୍ୟେକ ଛାତ୍ରୀ ଜଣେ ଜଣେ ପୁରୁଷ ବନ୍ଧୁ କରିବାକୁ ବାଧ୍ୟ

ଜଗତସିଂହପୁର : କଲେଜରେ ଅଦ୍ଭୁତ ଚିଠି | ଫେବ୍ରୁଆରି ୧୪ ପୂର୍ବରୁ ପ୍ରତ୍ୟେକ ଛାତ୍ରୀ ଜଣେ ଲେଖାଏ ପୁରୁଷ ବନ୍ଧୁ କରିବାକୁ ବାଧ୍ୟ ବୋଲି ବାହାରିଲା ନୋଟିସ | ଏଭଳି ଘଟଣା ଦେଖିବାକୁ ମିଳିଛି ଏସଭିଏମ୍ ସ୍ବୟଂଶାସିତ ମହାବିଦ୍ୟାଳୟରେ | ଯାହାପରେ ଏହି ଜାଲ୍ ଚିଠିକୁ ନେଇ କର୍ତ୍ତୃପକ୍ଷ ତନାଘନା ଆରମ୍ଭ କରିଛନ୍ତି। କିଏ, କାହିଁକି, କେଉଁ ଉଦ୍ଦେଶ୍ୟରେ ଏହି ଚିଠି କଲା ତାକୁ ନେଇ ଆରମ୍ଭ ହୋଇଛି ତର୍ଜମା। ଗତକାଲି ହ୍ବାଟସଆପ୍ ଗ୍ରୁପ୍ ଏବଂ ବ୍ୟକ୍ତିଗତ ଭାବେ ଓ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଚିଠି ଭାଇରାଲ୍ ହୋଇଥିଲା। କଲେଜ କର୍ତ୍ତୃପକ୍ଷ ଏହାକୁ ଖଣ୍ଡନ କରିଥିବା ବେଳେ ଆଜି ସଂଲଗ୍ନ ଚିଠିର ପ୍ରିଣ୍ଟ୍ ଆଉଟ୍ ସହ ଜଗତସିଂହପୁର ଥାନାରେ ଏତଲା ଦେଇଛନ୍ତି ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ପାତ୍ର। ସେ କହିଛନ୍ତି ଏସଭିଏମ୍ କଲେଜ ଭଳି ଏକ ଶିକ୍ଷାନୁଷ୍ଠାନକୁ ବଦନାମ୍ କରିବା ପାଇଁ କେହି କୁଚକ୍ରୀ ଗୋଷ୍ଠୀ ଷଡଯନ୍ତ୍ର କରୁଛନ୍ତି।

ତେବେ ଗତକାଲି ଯେଉଁ ଚିଠି ଭାଇରାଲ୍ ହୋଇଥିଲା ସେଥିରେ ଉଲ୍ଲେଖ ରହିଥିଲା ଯେ ଫେବ୍ରୁଆରି ୧୪ ପୂର୍ବରୁ ପ୍ରତ୍ୟେକ ଛାତ୍ରୀ ଜଣେ ଲେଖାଏ ପୁରୁଷ ବନ୍ଧୁ କରିବାକୁ ବାଧ୍ୟ। ଏପରିକି ପୁରୁଷ ବନ୍ଧୁଙ୍କ ସହ ମିଳିତ ଫଟୋକୁ ପରିଚୟପତ୍ର ଭାବେ ଆଣିବାକୁ ଜାଲ୍ ନୋଟିସରେ କୁହାଯାଇଛି। ନଚେତ୍ ସେମାନଙ୍କୁ କଲେଜ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ସୁରକ୍ଷା ଦୃଷ୍ଟିରୁ ଏପରି କରା ଯାଇଥିବା ଚିଠିରେ ଉଲ୍ଲେଖ ରହିଥିଲା।