ନୂଆଦିଲ୍ଲୀ: ରବିବାର, ମାର୍ଚ୍ଚ ୮ ତାରିଖରେ ଭାରତୀୟ ଦଳ ଇତିହାସ ରଚିଛି। ଟି-୨୦ ବିଶ୍ଵକପ୍ ୨୦୨୬ ଫାଇନାଲରେ ନ୍ୟୁଜଲାଣ୍ଡକୁ ୯୬ ରନରେ ପରାଜିତ କରି ଭାରତ ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିଛି। ଏହି ବିଜୟ ସହିତ ସୂର୍ଯ୍ୟକୁମାର ଯାଦବ ଭାରତ ପାଇଁ ଟି-୨୦ ବିଶ୍ୱକପ୍ ଜିତାଇଥିବା ତୃତୀୟ ଅଧିନାୟକ ହୋଇଛନ୍ତି। ତାଙ୍କ ପୂର୍ବରୁ ଏମଏସ୍ ଧୋନୀ ଓ ରୋହିତ ଶର୍ମା ଏହି ସଫଳତା ହାସଲ କରିଥିଲେ। ବିଶ୍ୱକପ୍ ବିଜୟ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଯେ, ଏହି ଜିତ ଭାରତୀୟ କ୍ରିକେଟ୍ ପାଇଁ ବହୁତ ବିଶେଷ। ତଥାପି ଦଳର ପରବର୍ତ୍ତୀ ବଡ଼ ଲକ୍ଷ୍ୟ ହେଉଛି ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା। ସୂର୍ଯ୍ୟକୁମାର କହିଛନ୍ତି ଯେ ହେବାକୁ ଥିବା ୨୦୨୮ ସମର୍ ଅଲମ୍ପିକ୍ସରେ ଭାରତୀୟ କ୍ରିକେଟ୍ ଦଳ ସ୍ୱର୍ଣ୍ଣ ପଦକ ଜିତିବାକୁ ଲକ୍ଷ୍ୟ ରଖିଛି। ସେହି ବର୍ଷ ପୁଣିଥରେ ଟି-୨୦ ବିଶ୍ୱକପ୍ ଜିତିବା ମଧ୍ୟ ଦଳର ଲକ୍ଷ୍ୟ ରହିଛି।

ଉଲ୍ଲେଖନୀୟ ଯେ କ୍ରିକେଟ୍ ପ୍ରଥମେ ୧୯୦୦ ମସିହାରେ ଅଲିମ୍ପିକ୍ସରେ ଖେଳାଯାଇଥିଲା। ଏବେ ପ୍ରାୟ ଦୀର୍ଘ ବର୍ଷ ପରେ କ୍ରିକେଟ୍ ପୁଣିଥରେ ୨୦୨୮ ସମର୍ ଅଲମ୍ପିକ୍ସରେ ଫେରିବ, ଯାହା ଲସ୍ ଏଞ୍ଜେଲ୍ସରେ ଆୟୋଜିତ ହେବ। ଆଇସିସି ଚାମ୍ପିୟନ୍ ଟ୍ରଫି ୨୦୧୩ ପରେ ଭାରତୀୟ ଦଳ ଦୀର୍ଘ ସମୟ ଧରି ଆଇସିସି ଟ୍ରଫି ଜିତିପାରୁନଥିଲା। କିନ୍ତୁ ୨୦୨୪ ମସିହାରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଟି-୨୦ ବିଶ୍ଵକପ୍ ଜିତିଥିଲା। ତାପରେ ୨୦୨୫ ମସିହାରେ ଭାରତ ଚାମ୍ପିୟନ୍ ଟ୍ରଫି ଫାଇନାଲରେ ନ୍ୟୁଜଲାଣ୍ଡକୁ ପରାଜିତ କରି ଟ୍ରଫି ଜିତିଥିଲା। ବର୍ତ୍ତମାନ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତ ୨୦୨୬ ଟି-୨୦ ବିଶ୍ୱକପ୍ ମଧ୍ୟ ଜିତିଛି। ଏବେ ଟିମ୍ ଇଣ୍ଡିଆର ନଜର ଦିନିକିଆ ବିଶ୍ଵକପ୍ ୨୦୨୭ ଉପରେ ରହିଛି, ଯାହା ସାଉଥ୍ ଆଫ୍ରିକା, ଜିମ୍ବାୱେ, ନାମିବିଆରେ ଆୟୋଜିତ ହେବ।