କୋଭିଡ୍ ଟିକା ପାର୍ଶ୍ୱପ୍ରତିକ୍ରିୟାରେ ମୃତ୍ୟୁ: ପୀଡିତ ପରିବାର ପାଇଁ କ୍ଷତିପୂରଣ ନୀତି ତିଆରି କରିବାକୁ ସୁପ୍ରିମକୋର୍ଟର ନିର୍ଦ୍ଦେଶ
ନୂଆଦିଲ୍ଲୀ: କୋଭିଡ୍-୧୯ ମହାମାରୀ ସମୟରେ ଟିକାକରଣକୁ ଲୋକଙ୍କ ଜୀବନ ରକ୍ଷା ପାଇଁ ଏକ ସୁରକ୍ଷା କବଚ ଭାବରେ ଦେଖାଯାଇଥିଲା। କିନ୍ତୁ କିଛି ପରିବାର ପାଇଁ ଏହି ସୁରକ୍ଷା ଦୁଃଖର କାରଣ ହୋଇପଡ଼ିଛି। କୋଭିଡ୍ ଟିକାର ପାର୍ଶ୍ୱପ୍ରତିକ୍ରିୟା ଯୋଗୁଁ ମୃତ୍ୟୁ ଘଟିଥିବା ମାମଲାକୁ ନେଇ ଦୀର୍ଘଦିନ ଧରି ଆଇନଗତ ଚର୍ଚ୍ଚା ଚାଲିଥିବାବେଳେ, ସୁପ୍ରିମକୋର୍ଟ ଏହି ବିଷୟରେ ଏକ ସମ୍ବେଦନଶୀଳ ଏବଂ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କୋଭିଡ୍ ଟିକାର ପାର୍ଶ୍ୱପ୍ରତିକ୍ରିୟା ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ପାଇଁ ଏକ “ନୋ-ଫଲ୍ଟ କ୍ଷତିପୂରଣ ନୀତି” (No-Fault Compensation Policy) ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ୱାରା ପ୍ରଭାବିତ ପରିବାରମାନେ ଆର୍ଥିକ ସହାୟତା ଓ ଆଶ୍ୱାସନ ପାଇବେ ବୋଲି ଆଶା କରାଯାଉଛି।

ବିଚାରପତି ବିକ୍ରମ ନାଥ ଓ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ କହିଛନ୍ତି ଯେ ଟିକାକରଣ ଫଳରେ ଯଦି କାହାର ଜୀବନ ହାନି ଘଟେ, ତେବେ ସେହି ପରିବାରମାନଙ୍କୁ ସରକାରୀ ସ୍ତରରେ ସହାୟତା ମିଳିବା ଦରକାର। ଏହି ମାମଲା ସେହି ପିତାମାତାଙ୍କ ଆବେଦନରୁ ସମ୍ମୁଖକୁ ଆସିଥିଲା ଯେଉଁମାନେ କୋଭିଡ୍ ଟିକା ପାର୍ଶ୍ୱପ୍ରତିକ୍ରିୟା ଯୋଗୁଁ ନିଜ ଦୁଇ ଝିଅଙ୍କୁ ହରାଇଥିବା ଦାବି କରିଥିଲେ। ସନ୍ତାନମାନଙ୍କୁ ହରାଇବା ପରେ ସେମାନେ କୋର୍ଟର ଶରଣାପନ୍ନ ହୋଇଥିଲେ ଏବଂ ଏପରି ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରିବା ସହିତ ସ୍ପଷ୍ଟ ନିର୍ଦ୍ଦେଶାବଳୀ ତିଆରି କରିବାକୁ ଅନୁରୋଧ କରିଥିଲେ। କୋର୍ଟ ସେମାନଙ୍କ ଯନ୍ତ୍ରଣାକୁ ବୁଝି କହିଛନ୍ତି ଯେ ଏପରି ପରିବାରମାନଙ୍କୁ ଏକା ଛାଡ଼ି ଦିଆଯାଇପାରିବ ନାହିଁ। ତେଣୁ ପ୍ରଭାବିତ ପରିବାରମାନଙ୍କୁ ସହାୟତା ଦେବା ପାଇଁ ସରକାର ଏକ ସ୍ପଷ୍ଟ କ୍ଷତିପୂରଣ ନୀତି ତିଆରି କରିବା ଆବଶ୍ୟକ।

ସୁପ୍ରିମକୋର୍ଟ ନିଜ ଆଦେଶରେ “ନୋ-ଫଲ୍ଟ କ୍ଷତିପୂରଣ” ବ୍ୟବସ୍ଥାକୁ ଉଲ୍ଲେଖ କରିଛନ୍ତି। ଏହାର ଅର୍ଥ ହେଉଛି କ୍ଷତିପୂରଣ ଦେବା ସମୟରେ କାହାର ଦୋଷ ଥିଲା ବୋଲି ପ୍ରମାଣ କରିବା ଦରକାର ହେବ ନାହିଁ। ଅର୍ଥାତ୍ ଟିକା ନିର୍ମାତା କିମ୍ବା ସରକାରଙ୍କ ଦୋଷ ନେଇ କୌଣସି ବିତର୍କ ଛଡ଼ା, କେବଳ ଟିକା ପାର୍ଶ୍ୱପ୍ରତିକ୍ରିୟା ଯୋଗୁଁ କ୍ଷତି ଘଟିଥିବା ଆଧାରରେ ପ୍ରଭାବିତ ପରିବାରକୁ ସହାୟତା ଦିଆଯିବ। ସହିତ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏହି କ୍ଷତିପୂରଣକୁ ସରକାରଙ୍କ କୌଣସି ବିଫଳତା କିମ୍ବା ଦୋଷ ସ୍ୱୀକାର ଭାବେ ଦେଖାଯିବା ଉଚିତ ନୁହେଁ। ତେବେ ଆବେଦନକାରୀମାନେ ମୃତ୍ୟୁର ତଦନ୍ତ ପାଇଁ ଏକ ନୂତନ ବିଶେଷଜ୍ଞ କମିଟି ଗଠନ କରିବାକୁ ଯେ ଦାବି କରିଥିଲେ, ସେଥିରେ କୋର୍ଟ ସହମତ ହୋଇନାହାନ୍ତି। କୋର୍ଟ କହିଛନ୍ତି କେନ୍ଦ୍ର ସରକାରଙ୍କ ପାଖରେ ପୂର୍ବରୁ ଟିକା ପାର୍ଶ୍ୱପ୍ରତିକ୍ରିୟା ଉପରେ ନଜର ରଖିବା ପାଇଁ ବ୍ୟବସ୍ଥା ରହିଛି ଏବଂ ଏବେ ନୂତନ କମିଟି ଗଠନର ଆବଶ୍ୟକତା ନାହିଁ। ହେଲେ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଏହି ମନିଟରିଂ ବ୍ୟବସ୍ଥାରୁ ମିଳୁଥିବା ତଥ୍ୟ ସମୟ ସମୟରେ ସାର୍ବଜନୀନ କରାଯିବା ଉଚିତ, ଯାହା ଦ୍ୱାରା ପାରଦର୍ଶିତା ବଜାୟ ରହିବ ଓ ଲୋକମାନଙ୍କ ମଧ୍ୟରେ ଆସ୍ଥା ରହିପାରିବ। ସୁପ୍ରିମକୋର୍ଟର ଏହି ନିଷ୍ପତ୍ତି ଏକ ପକ୍ଷରେ ପ୍ରଭାବିତ ପରିବାରମାନଙ୍କୁ ସହାୟତା ଦେବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଥିବାବେଳେ, ଅନ୍ୟ ପକ୍ଷରେ ଟିକାକରଣ ବ୍ୟବସ୍ଥାରେ ପାରଦର୍ଶିତା ଓ ଦାୟିତ୍ୱ ବୃଦ୍ଧି କରିବାରେ ମଧ୍ୟ ଏହା ଗୁରୁତ୍ୱ ରଖୁଛି।