ନୌସେନାର ଯୁଦ୍ଧପୋତରୁ ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ

ସମୁଦ୍ରରୁ ଦୂରଗାମୀ ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ ହୋଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସଦ୍ୟତମ ଗାଇଡେଡ ମିସାଇଲ ଡେଷ୍ଟ୍ରୟର ‘ଇମ୍ଫାଲ’ ଯୁଦ୍ଧପୋତରୁ ଦୂରଗାମୀ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳ । ଏହି ମିସାଇଲ ଧାର୍ଯ୍ୟ ଲକ୍ଷ୍ୟକୁ ଭେଦ କରିଥିଲା । ବ୍ରହ୍ମୋସକୁ ଛାଡିବା ପରେ ଉପରକୁ ଉଠି ୯୦ଡିଗ୍ରୀରେ ବୁଲି କ୍ଷୀପ୍ର ଗତିରେ ଯାଇ ଟାର୍ଗେଟକୁ ମାଡ଼ କରିଥିଲା। ପ୍ରଥମଥର ଲାଗି ନୋସୈନାରେ ସାମିଲ ହେବା ପୂର୍ବରୁ କୌଣସି ଯୁଦ୍ଧପୋତରୁ ବ୍ରହ୍ମୋସ ମିସାଇଲକୁ ଛଡା ଯାଇଥିଲା । ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଯୁଦ୍ଧପୋତକୁ ଭାରତୀୟ ନୋସେନାରେ ସାମିଲ କରାଯିବ। ଆଇଏନଏସ୍ ଇମ୍ଫାଲକୁ ମାଝଗାଓଁ ଡକୟାର୍ଡରେ ନିର୍ମାଣ କରାଯାଇଛି ।ଯୁଦ୍ଧପୋତର ଓଜନ ୭ ହଜାର ୪ଶହ ଟନ ହୋଇଥିବାବେଳେ ଲମ୍ବ ୫୩୫ ଫୁଟ୍। ଏହା ଏକ ଡିଜେଲ-ଇଲେକ୍ଟ୍ରିକ୍ ଚାଲିତ ଯୁଦ୍ଧପୋତ। ସର୍ବାଧିକ ୫୬ କିମି ବେଗରେ ଏହା ଗତି କରିପାରିବ। ଏହାକୁ ୩୩ କିଲୋମିଟର ଗତିରେ ଚଳାଇଲେ ଏହା ୧୫ ହଜାର କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ। ଏହା ୪୫ ଦିନ ପର୍ଯ୍ୟନ୍ତ ସମୁଦ୍ରରେ ବିଚରଣ କରିପାରିବ । ଏଥିରେ ୪ଟି ବୋଟ୍ ମଧ୍ୟ ରହିଛି ।ଦେଶର ଏହା ନୂତନ ଗାଇଡେଡ଼ ମିସାଇଲ ଡ୍ରେଷ୍ଟ୍ରୟର। ଭାରତୀୟ ନୋସେନା ଏବଂ ପ୍ରତିରକ୍ଷା ଗବେଷଣା ସଂସ୍ଥା ପକ୍ଷରୁ ଏହି ପରୀକ୍ଷଣ କରାଯାଇଥିଲା ।ସ୍ବଦେଶୀ ଜ୍ଞାନକୌଶଳରେ ଯୁଦ୍ଧପୋତ ମିସାଇଲର ବିକାଶ ସହ ସଫଳ ପରୀକ୍ଷଣ ଯୋଗୁଁ ପ୍ରତିରକ୍ଷାମନ୍ତ୍ରୀ ଡିଆରଡିଓ ଏବଂ ନୌବାହିନୀ କର୍ତ୍ତୃପକ୍ଷଙ୍କୁ ଅଭିନନ୍ଦନ ଜଣାଇଥିଲେ।