ଆବାସ ଯୋଜନା ପାଇଁ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ରାଇରଙ୍ଗପୁର(ସତ୍ୟନାରାୟଣ ପାଲ): ମୟୁରଭଞ୍ଜ ରାଇରଙ୍ଗପୁର ବ୍ଲକର ସିନ୍ଦୁରଗୌରୀ ଗ୍ରାମବାସୀ ଦୀର୍ଘ ବର୍ଷ ହେଲା ଆବାସ ଯୋଜନାରୁ ବଂଚିତ ହୋଇଛନ୍ତି । ତେଣୁ ଆଜି ଶତାଧିକ ପୁରୁଷ ଏବଂ ମହିଳା ସ୍ଥାନୀୟ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ରାଇରଙ୍ଗପୁର ଏନଏସିକୁ ସରକାର ମ୍ୟୁନିସିପାଲଟି ଘୋଷଣା କରିଥିଲେ । ତେଣୁ ଏହାର ପରିସୀମା ବଢାଇ ପାଖ ଏନଏସିକୁ ଲାଗି ଭାଲୁବସା ପଞ୍ଚାୟତର ସିନ୍ଦୁର ଗୌରୀ ଗ୍ରାମକୁ ପଞ୍ଚାୟତ ତାଲିକାରୁ ବାଦ ଦେଇ ମ୍ୟୁନିସିପାଲଟି ଯୋଗ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ପରେ କୌଣସି କାରଣରୁ ଏହାକୁ ବାଦ ଦିଆଯାଇଥିଲା । ଯାହା ଫଳରେ ସିନ୍ଦୁର ଗୌରୀ ଗ୍ରାମରେ ଆବାସ ଯୋଜନାରେ ପଞ୍ଚାୟତ ତରଫରୁ ସର୍ଭେ ହେଲା ନାହିଁ କି ପଲ୍ଲିସଭାରେ ଯୋଗ୍ୟ ଆବାସ ହିତାଧିକାରୀଙ୍କ ନାମ ଯାଇ ପାରିଲା ନାହିଁ । ତେଣୁ ଦୀର୍ଘ ବର୍ଷ ହେଲା ସେମାନେ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି ।
ଅଧିକାଂଶ ଲୋକଙ୍କ ଚାଳ ଛପର, ଖପରା ଭାଙ୍ଗି ଯାଇଥିବାବେଳେ ଘର ତିଆରି କରିବା ପାଇଁ ଅର୍ଥ ନାହିଁ । ଏନେଇ ଗ୍ରାମବାସୀ ୪/୫ ଥର ଆସି ବିଡିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏହା ପରେ ମଧ୍ୟ ସରକାରଙ୍କ ଆବାସଯୋଜନା ଗ୍ରାମବାସୀଙ୍କ ପାଇଁ ସାତ ସପନ ହୋଇଛି । ଏହାକୁ ନେଇ ପୁଣିଥରେ ଆଜି ବିଡିଓଙ୍କୁ ଗ୍ରାମବାସୀମାନେ ଦାବିପତ୍ର ପ୍ରଦାନ କରିଛନ୍ତି ।