ଭୁବନେଶ୍ୱର: ଅସହ ହେଲାଣି ତାତି । ଖରାର ପ୍ରକୋପରେ ଲୋକେ ମୁଣ୍ଡ ଗୁଞ୍ଜିବାକୁ ଜାଗା ଖୋଜିଲେଣି । ଯେଉଁ ମାସରେ ଖରାରେ ଲୋକେ ଅସ୍ତବ୍ୟସ୍ତ ହୋଇପଡନ୍ତି ,ସେ ମାସରେ ମାଡି ଆସୁଛି ବାତ୍ୟା । ଯାହାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହେଲାଣି । ଚଳିତ ମାର୍ଚ୍ଚ ମାସରେ ବାତ୍ୟା ହେବାର ସମ୍ଭାବନା । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ । ଏହି ଲଘୁଚାପ ଘନିଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ଆଂଶକା ସୃଷ୍ଟି ହୋଇଛି । ଆସନ୍ତା ୨୦ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ। ଏହା କେତେ ଘନୀଭୂତ ହେବ, ବାତ୍ୟା ରୂପ ନେବ କି ନାହିଁ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ପରିବେଶ ଅନୁକୂଳ ଥିବାରୁ ଏହା ବାତ୍ୟା ରୂପ ନେଇପାରେ। ଅନ୍ୟପକ୍ଷେ ଲଘୁଚାପଟି ବାରମ୍ବାର ଦିଗ ପରିବର୍ତ୍ତନ କରିବାର ସମ୍ଭାବନା ଥିବାରୁ ଏହା ଭାରତ କିମ୍ବା ଓଡ଼ିଶା ସ୍ପର୍ଶ କରିବ କି ନାହିଁ, ତାହା ଏବେଠାରୁ ଆକଳନ କରିବା ସମ୍ଭବ ହେବ ନାହିଁ ।
ଜଳବାୟୁ ପରିବର୍ତ୍ତନରେ ଏହି ସାମ୍ଭାବ୍ୟ ଘୂର୍ଣ୍ଣିଝଡ଼ ଭାରତ ଉପକୂଳ ଛୁଇଁବାର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ ବୋଲି କହିଛନ୍ତି, ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ। ଯଦି ଲଘୁଚାପଟି ବାତ୍ୟାର ରୂପ ନେବ ଓ ଭାରତ ଉପକୂଳ ସ୍ପର୍ଶ କରିବ, ତେବେ ଏହା ଗତ ୧୨୧ ବର୍ଷରେ ମାର୍ଚ୍ଚ ମାସର ୭ମ ବାତ୍ୟା ହେବ। । ଡ. ପଶୁପାଳକ ବିଭିନ୍ନ ମଡେଲ ଅନୁଧ୍ୟାନ କରି କହିଛନ୍ତି ଯେ ଏନ୍ସିଇପି ଜିଏଫ୍ଏସ୍ ମଡେଲ ଅନୁଯାୟୀ ସମ୍ଭାବ୍ୟ ଘୂର୍ଣ୍ଣଝଡ଼ଟି ଦିଗ ବଦଳାଇବାର ସମ୍ଭାବନା ରହିଥିବାରୁ ଭାରତ ଉପକୂଳକୁ ସ୍ପର୍ଶ କରିବ ନାହିଁ। ବିଗତ କିଛି ବର୍ଷ ହେଲା ମାର୍ଚ୍ଚରେ ଭାରତରେ ବାତ୍ୟା ହୋଇନାହିଁ। ଏଣୁ ଏଥର ମଧ୍ୟ ଏହା ଭାରତରେ ସ୍ଥଳଭାଗ ନ ଛୁଇଁବାର ଅଧିକ ସମ୍ଭାବନା ରହିଛି। କିନ୍ତୁ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ଏହାର ଭାରତ ଉପକୂଳମୁହାଁ ହୋଇପାରେ। ତଥାପି ଆସନ୍ତା ୨୦ ତାରିଖ ଆଡ଼କୁ ଏନେଇ ସ୍ପଷ୍ଟତା ଆସିଯିବ ବୋଲି ସେ କହିଛନ୍ତି।ଅନ୍ୟପଟେ ରାଜ୍ୟର ପାରଦ ଏବେ ଉପରମୁହାଁ ହେବାରେ ଲାଗିଛି। ସ ଅଂଶୁଘାତର ସମ୍ଭାବନା ଥିବାରୁ ଖରାକୁ ନ ବାହାରିବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।