ଭୁବନେଶ୍ୱର: ଓଡିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରରେ ଜାତୀୟ ଷ୍ଟାର୍ଟଅପ ଦିବସ ଅବସରରେ ଆଗରି ଷ୍ଟାର୍ଟଅପ କର୍ମଶାଳା -୨୦୨୫ ପାଳିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଭାରତୀୟ କିସନ ସଂଘର ସର୍ବ ଭାରତୀୟ ସାଧାରଣ ସମ୍ପାଦକ ଶ୍ରୀ ମୋହିନୀ ମୋହନ ମିଶ୍ର ଯୋଗ ଦେଇ ଚାଷୀର ହିତକୁ ନଜରରେ ରଖି ଷ୍ଟାର୍ଟଅପ ତିଆରି କରିବାକୁ ମତ ରଖିଛନ୍ତି । ସଫଳ ଚାଷ , ଉତ୍ତମ ବିହନ , ଯାନ୍ତ୍ରିକ ବ୍ୟବହାର ଏସବୁକୁ ନଜରରେ ରଖି ଷ୍ଟାର୍ଟଅପର ପରିକଳ୍ପନା ଆବଶ୍ୟକ । ଏହି ଷ୍ଟାର୍ଟଅପ ଚାଷୀଙ୍କୁ କିଭଳି ଲାଭଦାୟକ ହୋଇପାରିବ ଏହାକୁ ବିଚାର ବିମର୍ଷ କରିବାର ଆବଶ୍ୟକତା ରହିଛି । ଓଡିଶାରେ କୃଷି କ୍ଷେତ୍ରରେ ଷ୍ଟାର୍ଟଅପ ନୂତନ ଦିଗଦର୍ଶନ ପାଲଟିଲା ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଛନ୍ତି ।
ଏହି ଅବସରରେ ସ୍ୱାବଲମ୍ବୀ ଭାରତ ଅଭିଯାନର କୋଅର୍ଡିନେଟର ଶ୍ରୀ ସାରଦା ଶତପଥି ନିଜର ମତ ରଖିଛନ୍ତି । ଆମ କଳ୍ପନା ଅନୁଯାୟୀ ତଦନୁରୂପ ଫଳାଫଳ ଅଶା କରାଯାଏ । ଏଣୁ ସମସ୍ତେ କୃଷିକୁ ଧ୍ୟାନରେ ରଖି ଷ୍ଟାର୍ଟଅପର ବିଚାର କରିବାକୁ ହେବ । ଛାତ୍ରଛାତ୍ରୀଙ୍କୁ ଷ୍ଟାର୍ଟଅପ ନିମନ୍ତେ ପ୍ରୋତ୍ସାହିତ କରିବାକୁ ହେବ । ସେମାନଙ୍କୁ ବିଭିନ୍ନ ଉଦ୍ୟାଗ ତଥା ଷ୍ଟାର୍ଟଅପ କେନ୍ଦ୍ରକୁ ପରିଦର୍ଶନରେ ନେବା ଆବଶ୍ୟକ । ପ୍ରତି ସପ୍ତାହ ରେ ଷ୍ଟାର୍ଟଅପକୁ ନେଇ ଏକ କର୍ମଶାଳା ବା ସେସନ ରଖାଗଲେ ଏଦିଗରେ ପିଅନକ ଆଗ୍ରହ ବଢିବା ।
କୃଷି କ୍ଷେତ୍ରରେ ଷ୍ଟାର୍ଟଅପ କରିବାକୁ ହେଲେ ଅନେକ ସୁଯୋଗ ରହିଛି । କୁକୁଡା ପାଳନ, ମାଛ ଚାଷ, ବିଭିନ୍ନ ଲାଭଦାୟକ ଫସଲ ଆଦି ଉପରେ ନାନାଦି କାର୍ଯ୍ୟ ହାତକୁ ନେଇ ହେବ ବୋଲି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି । ତେବେ କୃଷି କ୍ଷେତ୍ରରେ ଅନେକ ଆଧୁନିକ ଯନ୍ତ୍ରପାତିର ଆବିଷ୍କାର , ଏଆଇର ପ୍ରୟୋଜନ ଏହାକୁ ଆହୁରି ମାର୍ଜିତ କରିବ ବୋଲି ଆଶା ରଖାଯାଇଛି ।
କାର୍ଯ୍ୟକ୍ରମକୁ କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସଞ୍ଜୟ ଦାସ ସ୍ୱାଗତ ଭାଷଣ ଦେଇ ଶୁଭାରମ୍ଭ କରିଥିବା ବେଳେ ଡ. ମୀନାକ୍ଷି ମହାନ୍ତି ଧନ୍ୟବାଦ ଦେଇଥିଲେ ।