ଫେବୃଆରୀ ପହିଲାରୁ ଭକ୍ତଙ୍କ ପାଇଁ ଖୋଲିବ ସିଂହଦ୍ଵାର

ପୁରୀ : ଆସନ୍ତା ମାସ ପହିଲାରୁ ଭକ୍ତମାନଙ୍କ ପାଇଁ ଖୋଲିବ ବଡ଼ଦେଉଳ । କାଳିଆ ସାଆନ୍ତଙ୍କ ସହ ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଦର୍ଶନ କରି ଚକ୍ଷୁ ପବିତ୍ର କରିବେ ଶ୍ରଦ୍ଧାଳୁ ।ଆଜି ଅପରାହ୍ଣରେ ଶ୍ରୀମନ୍ଦିର ଭର୍ଚ୍ଚୁଆଲ ବୈଠକ ବସିଥିଲା । ଶ୍ରୀମନ୍ଦିର ପ୍ରଶାସନ ଏବଂ ବରିଷ୍ଠ ସେବାୟତଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ୍ କୁମାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଶେଷ ହୋଇଥିବା ବେଳେ ମନ୍ଦିର ଖୋଲିବା ନେଇ ବିସ୍ତୃତ ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଛି । ତେବେ ମନ୍ଦିର ଖୋଲିବା ନେଇ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ, ସମସ୍ତ ସେବାୟତଙ୍କୁ ବୁଷ୍ଟର ଡୋଜ୍ ଦେବା ନେଇ ଉଦ୍ୟମ ଜାରି ରହିଛି । ଏବେ ପର୍ୟ୍ୟନ୍ତ ୨୫୦ରୁ ଅଧିକ ସେବାୟତଙ୍କୁ ବୁଷ୍ଟର ଡୋଜ୍ ଦିଆ ସରିଲାଣି । କରୋନା କଟକଣା ମଧ୍ୟରେ ମନ୍ଦିର ଖୋଲିବ । ଏଥିସହିତ ପୂର୍ବ ଭଳି ରବିବାର ମନ୍ଦିର ବନ୍ଦ ରହିବା ନେଇ ସେ ଜଣାଇଛନ୍ତି।