ଭୁବନେଶ୍ୱର : ଓଡି଼ଶା ବିଧାନସଭାର ବାଚସ୍ପତି ନିର୍ବାଚନ ଲାଗି ବରିଷ୍ଠ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ବିଧାନସଭା ସଚିବ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ଭରିଛନ୍ତି । ଆସନ୍ତା ୧୩ ତାରିଖରେ ଏଥିଲାଗି ସ୍ୱତନ୍ତ୍ର ଅଧିବେଶନ ଡକାଯିବ । ଏହି ସମୟରେ ନୂଆ ବାଚସ୍ପତି ନିର୍ବାଚନ କରାଯାଇ ତାଙ୍କର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଶ୍ରୀ ଆରୁଖଙ୍କ ନାମାଙ୍କନ ସମୟରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ବିଧାୟକ ଅଶୋକ ବଳ, ଧ୍ରୁବ ସାହୁ, ବିଷ୍ଣୁବ୍ରତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋର ନାମକୁ ବାଚସ୍ପତି ପଦବୀ ଲାଗି ଚୟନ କରିଥିବାରୁ ମୁଁ ତାଙ୍କୁ ଆନ୍ତରିକ ଧନ୍ୟବାନ ଜଣାଉଛି । ଏଥିପାଇଁ ସମସ୍ତ ବିଧାୟକ ବନ୍ଧୁମାନଙ୍କ ସହଯୋଗ କାମନା କରୁଛି ବୋଲି ନାମାଙ୍କନ ଭରିଥିବା ବାଚସ୍ପତି ପ୍ରାର୍ଥୀ ଶ୍ରୀ ଆରୁଖ ନିଜ ପ୍ରତିକ୍ରିୟାରେ କହିଛନ୍ତି ।