ଭାରତ: ମହାକାଶ ଯିବ ଲେଡି ରୋବଟ୍ “ବ୍ୟେମମିତ୍ର’ । ଚନ୍ଦ୍ରଯାନ-୩ର ସଫଳତା ପରେ ଏବେ ଭାରତ ମହାକାଶ ମିଶନକୁ ନେଇ ବେଶ ଉତ୍ସାହିତ। ଆଉ ଏହି ସଫଳତା ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ପରବର୍ତ୍ତୀ ମହାକାଶ ମିଶନ୍କୁ ନେଇ ପ୍ରସ୍ତୁତି ଜୋରଦାର କରାଯାଇଛି। ଭାରତର ଆଗାମୀ ମିଶନ୍ ଗଗନଯାନକୁ ନେଇ ବଡ ବୟାନ ଦେଇଛନ୍ତି କେନ୍ଦ୍ରୀୟ ବିଜ୍ଞାନ ଏବଂ ପ୍ରାଦ୍ୟୋଗିକ ମନ୍ତ୍ରୀ ଜିତେନ୍ଦ୍ର ସିଂହ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଭାରତର ମିଶନ ଗଗନଯାନରେ ଜଣେ ମହିଳା ରୋବୋଟକୁ ମହାକାଶକୁ ପଠାଯିବ । ପ୍ରଥମ ପରୀକ୍ଷଣ ଅକ୍ଟୋବର ମାସର ପ୍ରଥମ ସପ୍ତାହ କିମ୍ବା ଦ୍ୱିତୀୟ ସପ୍ତାହରେ ହେଇପାରେ ।
ଆଜି ଏକ ଜାତୀୟ ଗଣମାଧ୍ୟମର ଜି – ୨୦ କନକ୍ଲେଭରେ ଯୋଗଦେଇ କେନ୍ଦ୍ରୀୟ ବିଜ୍ଞାନ ଏବଂ ପ୍ରାଦ୍ୟୋଗିକ ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଇସ୍ରୋ ଗଗନଯାନ ମିଶନର ପରୀକ୍ଷଣରେ ଜଣେ ମହିଳା ରୋବୋଟ୍ ‘ବ୍ୟୋମିତ୍ର’ଙ୍କୁ ମହାକାଶକୁ ପଠାଇବ। ଏକ ପରୀକ୍ଷାମୂଳକ ସ୍ପେସ୍ ଫ୍ଲାଇଟ୍ ଉତକ୍ଷେପଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ରୋବୋଟ୍ ପଠାଇ ଇସ୍ରୋ ଏହାର ମାନବୀୟ ଗତିବିଧିର ନକଲ କରିବ। ଯଦି ସବୁକିଛି ଠିକ୍ ରୁହେ ତେବେ ତୃତୀୟ ପର୍ୟ୍ୟାୟରେ ୩ ଜଣ ମହାକାଶଚାରୀଙ୍କୁ ମହାକାଶ ପଠାଯିବ ବୋଲି ଜିତେନ୍ଦ୍ର ସିଂହ କହିଛନ୍ତି।