ନାନାବାୟା ଗୀତର ଶିଶୁଙ୍କ ଉପରେ ରହିଛି ସକାରାତ୍ମକ ପ୍ରଭାବ

(ରିପୋର୍ଟସ ଟୁଡ଼େ): ମା’ମାନେ ଛୋଟ ଅଝଟ ଶିଶୁଙ୍କୁ ଶୁଆଇବା ପାଇଁ ନାନାବାୟା ଗୀତର ସାହାରା ନେଇଥାନ୍ତି। ପୃଥିବୀର ସମସ୍ତ ସଂସ୍କୃତି ତଥା ପରମ୍ପରାରେ ଏଭଳି ନାନାବାୟା ଗୀତକୁ ଲୋକଗୀତ ବୋଲି କୁହାଯାଇଥାଏ। ତେବେ ଏହା ଛୋଟ ଶିଶୁ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ଲଣ୍ଡନର ଗ୍ରେଟ୍‌ ଔରମଣ୍ଡ ଷ୍ଟ୍ରିଟ୍‌ ହସ୍ପିଟାଲରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହାଦ୍ୱାରା ଶିଶୁଙ୍କ କଷ୍ଟ ସହିତ ମସ୍ତିଷ୍କରେ ସୃଷ୍ଟି ହେଉଥିବା କେତେକ ଚାପ ଦୂର ହୋଇଥାଏ। ଫଳରେ ଶିଶୁ ସହଜରେ ଶୋଇ ପଡ଼ିଥାଏ। ନାନାବାୟା ଗୀତର ପ୍ରଭାବ ସମ୍ପର୍କରେ ଜାଣିବା ପାଇଁ ଗବେଷକ ୩ ବର୍ଷ ବୟସ୍କ ଶିଶୁଙ୍କ ଉପରେ ଅଧ୍ୟୟନ କରିଥିଲେ। ଜଣାପଡ଼ିଥିଲା ନାନାବାୟା ଗୀତ ମାଧ୍ୟମରେ ଶିଶୁ ଏହାକୁ ଗାନ କରୁଥିବା ବ୍ୟକ୍ତିଙ୍କୁ ମନେ ରଖିବାର ପ୍ରୟାସ କରିଥାଏ। ସ୍ଥଳ ବିଶେଷରେ ମା’ ଏଭଳି କରୁଥିବାରୁ ପ୍ରଥମେ ଶିଶୁ କଥା କହିବା ପୂର୍ବରୁ ମା’ ଡାକିବା ଆରମ୍ଭ କରେ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି।