ସୋସିଆଲ୍ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର । ବିକ୍ଷୋଭକାରୀଙ୍କ ମୃତ୍ୟୁ ଓ ତୀବ୍ର ଉତ୍ତେଜନା ପରେ ଏହି ନିଷ୍ପତ୍ତି ନେଇଛନ୍ତି ସରକାର । ଏବେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେବେ ନାହିଁ ବୋଲି ମଧ୍ୟ ସୂଚନା ମିଳିଛି । ଗତକାଲି ସୋସିଆଲ୍ ମିଡିଆ ବ୍ୟାନ୍‌ ବିରୋଧରେ କାଠମାଣ୍ଡୁରେ ବିକ୍ଷୋଭ କରିଥିଲେ ୟୁଜର୍ସ । ମୋଟ୍‌ ୨୬ଟି ସୋସିଆଲ୍‌ ମିଡିଆ ପ୍ଲାଟଫର୍ମକୁ ବ୍ୟାନ୍‌ କରିଥିଲେ ନେପାଳ ସରକାର ।

ସୂଚନା ଅନୁସାରେ, ସରକାରଙ୍କ ଦ୍ବାରା ଫେସବୁକ୍, ୟୁଟ୍ୟୁବ୍ ଏବଂ ଏକ୍ସ ସମେତ ଅଧିକାଂଶ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିଷିଦ୍ଧ କରିବା ନିଷ୍ପତ୍ତି ପରେ ଗତକାଲି ନେପାଳରେ ଅରାଜକତା ଦେଖାଦେଇଥିଲା । Gen-Z ଅର୍ଥାତ୍ ଯୁବପିଢ଼ି ଏହାର ବିରୋଧ କରିବା ସହ ସଂସଦରେ ନିଆଁ ଲଗେଇ ଦେଇଥିଲେ । କେବଳ ସୋସିଆଲ ମିଡିଆରେ ବ୍ୟାନ୍‌ ଲାଗିବା ଯୋଗୁ ନୁହେଁ ବରଂ ସରକାରଙ୍କ ବିଫଳତାକୁ ନେଇ ଯୁବପିଢ଼ିଙ୍କ ବିଦ୍ରୋହ ଯୋଗୁ ଓଲି ସରକାର ବ୍ୟାକଫୁଟ୍‌କୁ ଚାଲିଯାଇଥିବା କୁହାଯାଉଛି । ଯେଉଁଥିପାଇଁ ଆନ୍ଦୋଳନ ବନ୍ଦ କରିବା ସହ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ମାତ୍ର ୪ଘଣ୍ଟାର ଆନ୍ଦୋଳନରେ ମୁଣ୍ଡ ନୁଆଁଇ ଥିଲେ ସରକାର । ତେବେ ଏହି ସଂଘର୍ଷରେ ୨୦ ଜଣଙ୍କ ଜୀବନ ଯାଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଛନ୍ତି । ଗତକାଲି ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସମସ୍ତ ଅଣପଞ୍ଜିକୃତ ପ୍ଲାଟଫର୍ମଗୁଡ଼ିକୁ ତୁରନ୍ତ ପ୍ରଭାବରୁ ନିଷିଦ୍ଧ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ।