(ଜଗନ୍ନାଥ ଅଗ୍ରୱାଲ) : ଛେଣ୍ଡିପଦା ସାପକାମୁଡ଼ାରେ ଗୁରୁତର ମହିଳାଙ୍କୁ ମୃତ ଘୋଷଣା କଲେ ଡାକ୍ତର । ହେଲେ ଅନ୍ଧବିଶ୍ୱାସ କବଳରେ ଛନ୍ଦି ହୋଇଥିବା ମୃତା ମହିଳାଙ୍କ ପରିବାର ବିଶ୍ୱାସକୁ ନେଇ ନଥିଲେ ଡାକ୍ତରଙ୍କ କଥା। ସାପକାମୁଡ଼ା ପରେ ଡାକ୍ତରଖାନା ଆଣିବା ପରିବର୍ତ୍ତେ ପ୍ରଥମେ ଝଡାଫୁଙ୍କାର ଆଶ୍ରୟ ନେଇଥିବା ପରିବାର ରୋଗୀଙ୍କ ମୃତ୍ୟୁ ପରେ ମଧ୍ୟ ପୁଣି ନେଇଥିଲେ ଗୁଣିଆଙ୍କ ସାହାରା । ଏପରିକି ମୃତକଙ୍କ କାନରେ ଫୋନ ରଖାଯାଇ ଗୁଣିଆଙ୍କ ମନ୍ତ୍ରପାଠ ଶୁଣାଯିବା ଦୃଶ୍ୟ ଶନିବାର ଅନୁଗୋଳ ଜିଲା ଛେଣ୍ଡିପଦା ସ୍ବାସ୍ଥ୍ୟକେନ୍ଦ୍ରରେ ଉପସ୍ଥିତ ଲୋକଙ୍କୁ ଚକିତ କରିଥିଲା।
ଘଟଣାରୁ ଜଣାପଡିଛି, ଛେଣ୍ଡିପଦା ଥାନା ବାଗଡିଆ ମାଉସୀସାହିର ଟୁକୁନା ବାରିକଙ୍କ ସ୍ତ୍ରୀ ରିଙ୍କି ବାରିକ ଶନିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଶୌଚ ହେବାକୁ ଯାଇଥିବାବେଳେ ଏକ ବିସଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା। ହେଲେ ରିଙ୍କିଙ୍କ ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଗ୍ରାମର ଜଣେ ଗୁଣିଆଙ୍କ ନିକଟକୁ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ରିଙ୍କିଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ଡାକ୍ତରଙ୍କ ଏହି କଥାକୁ ବିଶ୍ୱାସ ନ କରି ମୃତାଙ୍କ ପରିବାର ଡାକ୍ତରଖାନାକୁ ଜଣେ ଗୁଣିଆଙ୍କୁ ଡକାଇ ଝଡାଫୁଙ୍କା କରିଥିଲେ। କିଛି ସୁଫଳ ନ ମିଳିବାରୁ ଆଉ ଜଣେ ଗୁଣିଆଙ୍କୁ ଫୋନ ଲଗାଯାଇଥିଲା । ସମ୍ପୃକ୍ତ ଗୁଣିଆ ଫୋନ ଯୋଗେ ମୃତାଙ୍କ କାନରେ ମନ୍ତ୍ର ପଢିଥିବା ଦେଖିବାକୁ ମିଳିଥିଲା । ତେବେ ବାରମ୍ବାର ଏହି ଅଞ୍ଚଳରେ ଏପରି ଘଟଣା ଘଟୁଥିବାରୁ ଲୋକଙ୍କୁ ଅନ୍ଧବିଶ୍ୱାସରୁ ଦୂରେଇ ରଖିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ସଚେତନତା କାର୍ୟ୍ୟକ୍ରମ କରାଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଘଟଣାରେ ପୋଲିସ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।