ରାହୁଲଙ୍କୁ ସ୍ମୃତିଙ୍କ ଜବାବ୍
ସଂସଦରେ ରାହୁଲଙ୍କ ଗର୍ଜନ, ମଣିପୁର ପ୍ରସଙ୍ଗ ଉଠାଇ ସରକାରଙ୍କୁ କଲେ ଟାର୍ଗେଟ, ମୁହଁତୋଡ ଜବାବ୍ ଦେଲେ ସ୍ମୃତି ଇରାନୀ
ନୂଆଦିଲ୍ଲୀ : ଆଜି ସଂସଦରେ ଅନାସ୍ଥା ବିତର୍କରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଭାଗ ନେଇଥିଲେ। ସଂସଦରେ ମଣିପୁର ପ୍ରସଙ୍ଗ ଉଠାଇ ସରକାରଙ୍କୁ ରାହୁଲ ଟାର୍ଗେଟ କରିବା ସହ ଲୋକସଭାରେ ସେ ବକ୍ତବ୍ୟ ରଖିଥିଲେ। ଭାରତ ଯୋଡ଼ୋ ଯାତ୍ରା ସମୟର ଅନୁଭୂତି କହିବା ସହ ମଣିପୁର ପ୍ରସଙ୍ଗ ଉଠାଇ ରାହୁଲ ସରକାରଙ୍କୁ ଟାର୍ଗେଟ କରିଥିଲେ । ରାହୁଲ ଗାନ୍ଧି କହିଥିଲେ ଯେ, ‘ମଣିପୁରରେ ଭାରତ ମାତାର ହତ୍ୟା ହୋଇଛି। ରାଜନୀତି ପାଇଁ ମଣିପୁରରେ ହିନ୍ଦୁସ୍ତାନକୁ ମାରିଛନ୍ତି। ନିକଟରେ ମୁଁ ମଣିପୁର ଯାଇଥିଲି, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଏଯାଏ ଯାଇ ନାହାନ୍ତି। ପ୍ରଧାନମନ୍ତ୍ରୀଙ୍କ ପାଇଁ ମଣିପୁର ମୂଲ୍ୟହୀନ, ମଣିପୁରକୁ ଭାଗ ଭାଗ କରି ଦିଆଯାଇଛି’।
ତେବେ ମଣିପୁରରେ ଭାରତ ମାତାଙ୍କୁ ହତ୍ୟା କରାଯାଇଥିବା ମନ୍ତବ୍ୟକୁ ନେଇ ବର୍ଷିଥିଲେ ସ୍ମୃତି ଇରାନୀ । କହିଲେ, ଆପଣ ଭାରତ ନୁହନ୍ତି, କାରଣ ଭାରତ ଦୁର୍ନୀତିଗ୍ରସ୍ତ ନୁହେଁ। ଭାରତ ଯୋଗ୍ୟତାରେ ବିଶ୍ବାସ କରେ ବଂଶବାଦରେ ନୁହେଁ। ବ୍ରିଟିଶକୁ ଯେମିତି ଭାରତ ଛାଡ଼ କୁହାଯାଇଥିଲା ଆଜି ଜନସାଧାରଣ ଆପଣଙ୍କୁ ସେକଥା ସ୍ମରଣ କରାଇ ଦେଉଛନ୍ତି। ଦୁର୍ନୀତି ଭାରତ ଛାଡ଼, ବଂଶବାଦ ଭାରତ ଛାଡ଼। ଏବେ ଯୋଗ୍ୟତା ଭାରତରେ ସ୍ଥାନ ପାଉଛି। ସେ କହିଥିଲେ, ‘ମଣିପୁର ଖଣ୍ଡିତ ହୋଇନି, ମଣିପୁର ଆମ ଦେଶର ଅବିଚ୍ଛେଦ୍ୟ ଅଙ୍ଗ ରହିଛି ଏବଂ ରହିଥିବ।୧୯୮୪ର ଦଙ୍ଗା, ଜରୁରୀ ପରିସ୍ଥିତି, ଗିରିଜା ଟକ୍କୂ ହତ୍ୟା ଆଦିର ଉଦାହରଣ ଦେଇ ସ୍ମୃତି ଇରାନୀ କହିଲେ, କଂଗ୍ରେସର ଇତିହାସ ରକ୍ତରେ ଭିଜିଯାଇଛି।
ରାହୁଲଙ୍କ ମନ୍ତବ୍ୟକୁ ନେଇ ଶାସକ ଦଳ ସଭ୍ୟମାନେ ଗୃହରେ ପ୍ରବଳ ବିରୋଧ କରିଥିଲେ। ରାହୁଲ ଗାନ୍ଧି କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ବିଜେପି ସଦସ୍ୟ।