ଝାରସୁଗୁଡ଼ା:- ଝାରସୁଗୁଡ଼ା ଜିଲ୍ଲାରେ ବ୍ୟାପକ ପରିମାଣର ନିଶା କାରବାର ଚାଲିଥିବା ବେଳେ ପୋଲିସ ଏକ ବଡ ଚଢ଼ଉ ଅଭିଯାନ ବଳରେ ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ କରିବା ସହିତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନା ମୁତାବକ, ଯୁବ ଗୋଷ୍ଠୀଙ୍କୁ ଟାର୍ଗେଟ କରି ବ୍ରଜରାଜନଗର ଥାନା ଅନ୍ତର୍ଗତ ଓପିଏମ ସ୍କୁଲ ପଡ଼ିଆରେ ନିଶା ବ୍ୟବସାୟୀ ନିଶା ଦ୍ରବ୍ୟ କରବାର କରୁଥିଲେ । ତେବେ ଏନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏସୂଚନା ମିଳିବା ପରେ ପୋଲିସ ଅତର୍କିତ ଭାବେ ଚଢ଼ଉ କରିଥିଲା । ଅଭିଯୁକ୍ତମାନେ ନିଶା ଦ୍ରବ୍ୟ ପେକିଙ୍ଗ କରୁଥିବା ସମୟରେ ପୋଲିସ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ଅଭିଯୁକ୍ତମାନଙ୍କ ଠାରୁ ୩୨ ଗ୍ରାମ ବ୍ରାଉନସୁଗାର, ପେଣ୍ଟା ଯୋନିକ ଲେକଟେକ ଇଞ୍ଜେକେସନ, ୫ଟି ସିରିଞ୍ଜ, ୧୫ ଷ୍ଟ୍ରିପ ନାଇଟ୍ରାଯେପାମ ଟେବଲେଟ ଏବଂ ୨ ହଜାର ଟଙ୍କା ଜବତ କରିଛି । ଜବତ ନିଶା ଦ୍ରବ୍ୟର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଉର୍ଧ ହେବ ବୋଲି ଅନୁମାନ କରାଯାଉଛି । ଗିରଫ ଅଭିଯୁକ୍ତମାନେ ବ୍ରଜରାଜନଗର ଥାନା ଅଞ୍ଚଳର ବିଜୟ ଅଗ୍ରୱାଲ, ବିଜୟ ସାହା, ଉମେଶ ଚୌହାନ, ପୁସ୍ତୋମ ବାନଛୋର, କରନ କଲେତ, ଅମିତ ଷଣ୍ଢ ବୋଲି ସୂଚନା ମିଳିଛି ।