(ସୌମ୍ୟ ରଂଜନ ସେଠୀ) : ଶ୍ରୀମନ୍ଦିରରେ ଆଜି ଠାରୁ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି। ମାତ୍ର ପ୍ରଥମ ଦିନରୁ ଏଥିରେ ବିଭ୍ରାଟ ଦେଖାଦେଇଛି। ଆଜି ଶ୍ରୀମନ୍ଦିରର ଦ୍ୱାର ଖୋଲା ହେବା ପରେ ଭକ୍ତମାନେ ଧାଡ଼ି ନ ମାନି ପୂର୍ବରୁ ଯେପରି ଦର୍ଶନ କରୁଥିଲେ, ସେହିପରି ମନ୍ଦିରରେ ପ୍ରବେଶ କରିଥିଲେ। ମହିଳାମାନେ ମଧ୍ୟ ଧାଡ଼ି ମାନି ନଥିଲେ । ଆଜି ଭୋରରୁ ଯେତେବେଳେ ଶ୍ରୀମନ୍ଦିର ଦ୍ୱାର ଖୋଲା ହେଲା, ଭକ୍ତମାନେ ଧାଡ଼ି ନ ମାନି ଆଗରୁ ଯେମିତି ମନ୍ଦିରରେ ପ୍ରବେଶ କରୁଥିଲେ, ସେମିତି ପ୍ରବେଶ କରିଥିଲେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଲା, ସେମାନେ ପ୍ରତ୍ୟହ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ସନ୍ଧ୍ୟା ଆଳତି, ବଡ଼ସିଂହାର ବେଶ ଆଦି ଦର୍ଶନ କରିଥାନ୍ତି । ଧାଡ଼ି ବ୍ୟବସ୍ଥା ଲାଗୁ ହେଲେ ସେମାନେ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ହେବେ।
ଧାଡ଼ି ବ୍ୟବସ୍ଥାକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନାର କର୍ମୀ ଓ ମହିଳା ଭକ୍ତମାନେ ମତ ଦେଇଛନ୍ତି ଯେ, ଭିଡ଼ ଥିବା ବେଳେ ଧାଡ଼ି କରାଯିବା ଉଚିତ। ଭିଡ଼ ନଥିବା ବେଳେ ଏହି ବ୍ୟବସ୍ଥାର ଆବଶ୍ୟକତା ନାହିଁ।
ଧାଡ଼ି ଦର୍ଶନ ବ୍ୟବସ୍ଥାରେ ବିଭ୍ରାଟ ଯୋଗୁ ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ଅସନ୍ତୋଷ ପ୍ରକାଶ କରିଛନ୍ତି।