ଖୁବଶୀଘ୍ର ଶ୍ରୀମନ୍ଦିରରେ ହେବ ଧାଡି ଦର୍ଶନ ବ୍ୟବସ୍ଥା: ଶ୍ରୀ ପାଢୀ

ପୁରୀ: ଶ୍ରୀମନ୍ଦିର ନୂଆ ପରିଚାଳନା କମିଟିର ପ୍ରଥମ ବୈଠକ ଶେଷ । ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବା ସହିତ କିଛି ବଡ଼ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ମିଳିଥିବା ସୂଚନା ମୁତାବକ, ନୂଆକରି ୧୪ଟି ସବକମିଟି ଗଠନ କରାଯାଇଛି । ପ୍ରଥମଥର ପାଇଁ ଶ୍ରୀମନ୍ଦିର ସୁରକ୍ଷା ନେଇ ନୂତନ ସବକମିଟି ଗଠନ କରାଯାଇଛି । ପ୍ରତ୍ୟେକ କମିଟିରେ ପରିଚାଳନା କମିଟିର ସଭ୍ୟ ରହିଛନ୍ତି । ଶ୍ରୀ ଜଗନ୍ନାଥ ତତ୍ତ୍ୱ ଗବେଷଣା ଓ ପ୍ରକାଶନ ପାଇଁ ମଧ୍ୟ ସବକମିଟି ଗଠନ ହୋଇଛି ।

ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ନେଇ ସବ୍‌କମିଟି ଗଠନ । ସେବକ କଲ୍ୟାଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସବ୍‌କମିଟି ଗଠନ ହୋଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟପ୍ରଶାସନ ଅରବିନ୍ଦ ପାଢୀ । ଶ୍ରୀ ପାଢୀ କହିଛନ୍ତି, ସୁପରିଚାଳନା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । କମିଟିରେ ୯ ଜଣ ସଦସ୍ୟ ଅଛନ୍ତି । ସେମାନେ ସବୁ ଦିଗରୁ ଅନୁଧ୍ୟାନ କରିବେ । ସମ୍ପୃକ୍ତ ନିଯୋଗ ସହ ଭଲ ଭାବେ ଆଲୋଚନା କରିବେ । ଯେପରି ଭାବେ ମହାପ୍ରଭୁଙ୍କ ନୀତି ବିଳମ୍ବିତ ନ ହେବ ତା ଉପରେ ଗୁରୁତ୍ବ ଦେବେ । ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ପରିଚାଳନା କମିଟିର ଅନୁମୋଦନ । ପ୍ରଥମେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନକୁ ଲାଗୁ କରାଯିବ । ଦରକାର ପଡ଼ିଲେ ଜିଲ୍ଲାପାଳଙ୍କ ନେତୃତ୍ବାଧୀନ କମିଟି ସଂଶୋଧନ କରିବ । ଖୁବ୍‌ ଶୀଘ୍ର ଧାଡ଼ି ଦର୍ଶନ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଉଛି । ନାଟମଣ୍ଡପରେ ବାତ୍ତାନୁକୁଳ କରିବା ପାଇଁ ASI ମଧ୍ୟ ଅନୁମୋଦନ ଦେଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଅରବିନ୍ଦ ପାଢୀ ।