ବ୍ୟୁରୋ : ଜଳ ଶରୀରର ସବୁଠାରୁ ବଡ ଆବଶ୍ୟକତା । ସମସ୍ତଙ୍କୁ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଉଚିତ୍ । ଯାହା ଦ୍ୱାରା ଶରୀରରେ ଜଳର ଆବଶ୍ୟକତା ପୂରଣ ହେବ ଏବଂ ଶରୀର ଡିଟକ୍ସିଫାଇ ରହିବ । ଦିନରେ ପ୍ରଚୁର ପାଣି ପିଇବା ଉଚିତ୍, କିନ୍ତୁ ରାତିରେ ଶୋଇବା ପୂର୍ବରୁ ପାଣି ପିଇବାକୁ ନେଇ ବିଭିତ୍ତ ପରାମର୍ଶ ଦିଆଯାଇଛି । କିଛି ଲୋକ କୁହନ୍ତି, ରାତିରେ ଶୋଇବା ପୂର୍ବରୁ କମ୍ ପାଣି ପିଇବା ଉଚିତ୍ । ଆଉ କିଛି କୁହନ୍ତି, ରାତିରେ ଶୋଇବା ପୂର୍ବରୁ ପାଣି ପିଇବା ଉଚିତ୍ । ତେବେ ଆସନ୍ତୁ ଜାଣିବା ରାତିରେ ଶୋଇବା ପୂର୍ବରୁ ପାଣି ପିଇବା ଉଚିତ କି ନୁହେଁ । ଯଦି ଆପଣ ପିଇବାକୁ ଚାହାଁନ୍ତି ତେବେ କେତେ ଏବଂ କିପରି ପିଇବା ଉଚିତ୍ ।
ରାତିରେ ପାଣି ପିଇବାର ଫାଇଦା : ମେଡିସିନ୍ ନେଟ୍ ଅନୁଯାୟୀ, ରାତିରେ ପାଣି ପିଇବା ଦ୍ୱାରା ଶରୀର ଡିଟକ୍ସିଫାଇ ବା କ୍ଲିନ୍ ହୋଇଥାଏ । ଯଦି ଆପଣ ଖାଇବାର ଅଧ ଘଣ୍ଟା ପରେ କିମ୍ବା ଶୋଇବାର ଏକ,ଦୁଇ ଘଣ୍ଟା ପୂର୍ବରୁ ପାଣି ପିଅନ୍ତି, ତେବେ ରାତିରେ ଶରୀରର ହଜମ ଭଲ ହୋଇଥାଏ ଏବଂ ସକାଳେ ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯାଏ । ଦିନରେ ଖାଉଥିବା ଖାଦ୍ୟ ରାତିରେ ହଜମ ହୁଏ । ଯଦି ଆପଣ ରାତିରେ ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ପାଣି ପିଅନ୍ତି, ତେବେ ଶରୀରରେ ଥିବା ଖାଦ୍ୟର ସମସ୍ତ ପୋଷକ ତତ୍ତ୍ୱ ସଠିକ ଭାବରେ ଶୋଷିତ ହୋଇ ଶକ୍ତିରେ ପରିଣତ ହୁଏ । ଏହା ଶରୀରର ମେଟାବୋଲିଜିମକୁ ମଧ୍ୟ ମଜବୁତ କରିଥାଏ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ।
ହାଲୁକା ଗରମ ପାଣି ପିଅନ୍ତୁ : ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣି ପିଇବା ଦ୍ୱାରା ଶରୀର ପ୍ରାକୃତିକ ଭାବରେ ନିଜକୁ ସଫା କରିଥାଏ । ଏହା କ୍ରମାଗତ ଏସିଡିଟିରୁ ଆରାମ ପ୍ରଦାନ କରିଥାଏ ।
ଶୋଇବା ପୂର୍ବରୁ ପିଇବା ଉଚିତ୍ : ରାତିରେ ଶୋଇବାର କିଛି ସମୟ ପୂର୍ବରୁ ପାଣି ପିଇବା ଉଚିତ୍ ନୁହେଁ । କିନ୍ତୁ ଶୋଇବାର ଦେଢରୁ ଦୁଇ ଘଣ୍ଟା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ ।
ଏପରି ଲୋକଙ୍କୁ ରାତିରେ ପାଣି ପିଇବା ଉଚିତ୍ ନୁହେଁ : ସୁର୍ଗା ରୋଗୀ, ହୃଦ୍ ରୋଗୀ, କିଡ୍ନୀ ରୋଗୀ ତଥା ମାଇଗ୍ରେନ୍ରେ ପୀଡିତ ଲୋକମାନେ ରାତିରେ ଶୋଇବା ପୂର୍ବରୁ ଅଧିକ ପାଣି ପିଇବା ଉଚିତ୍ ନୁହେଁ । କାରଣ ଏହି ଲୋକମାନଙ୍କ ପାଇଁ ରାତିରେ ଶୋଇବାର ଚକ୍ର ସମ୍ପୂର୍ଣ୍ଣ ହେବା ଆବଶ୍ୟକ ଏବଂ ଯଦି ସେମାନେ ରାତିରେ ଅଧିକ ପାଣି ପିଇବେ ତେବେ ସେମାନେ ବାରମ୍ବାର ପରିସ୍ରା ଯିବେ । ବାରମ୍ବାର ଯେଉଁଥିପାଇଁ ସେମାନଙ୍କର ଶୋଇବା ଚକ୍ର ସଂପୂର୍ଣ୍ଣ ହେବ ନାହିଁ ଏବଂ ପରଦିନ ସେମାନେ ନିଦ୍ରା ଅଭାବରୁ ଅସୁବିଧାରେ ପଡ଼ିବେ |