ଯାଜପୁର: ଯାଜପୁର ଜିଲ୍ଲା ସଦର ମହକୁମାରେ ପ୍ରତିଷ୍ଠା କରାଯାଇଥିବା ରାଜ୍ୟର ପ୍ରଥମ ‘ ମିଶନ ଶକ୍ତି ଭବନ’ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ମା’ ମାନଙ୍କ ଜୀବିକା ପାଇଁ ଏକ ନୂଆ ବାଟ ହୋଇପାରିଛି । ଏହି ବହୁମୁଖୀ ଭିତ୍ତିଭୂମି ମାଧ୍ୟମରେ ମହିଳାମାନଙ୍କର ଦକ୍ଷତା ବିକାଶ ସହିତ ଏସଏଚଜି ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ବର୍ଷ ସାରା ବିକ୍ରୟ ପାଇଁ ଏକ ପ୍ରମୁଖ କେନ୍ଦ୍ର ପାଲଟିଛି ।
ଓଡିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ ବା ଓମ୍ବାଡସି ପାଣ୍ଠି ବିନିଯୋଗରେ ଯାଜପୁର ଟାଇନଠାରେ ସରକାର ଏହି ଭବନ ନିର୍ମାଣ କରିଛନ୍ତି । ଏହି ଅତ୍ୟାଧୁନିକ ଭିତ୍ତିଭୂମିଠାରେ ଜିଲ୍ଲାର ଏସଏଚଜି ମହିଳାମାନଙ୍କ ପାଇଁ କମ୍ପ୍ୟୁଟର ତାଲିମ ସହ ଆର୍ଥିକ ସାକ୍ଷରତା ଓ ମୋବାଇଲ ମାଧ୍ୟମରେ ବିଭିନ୍ନ ପ୍ରକାର ଡିଜିଟାଲ କାରବାର ସମ୍ପର୍କରେ ଶିକ୍ଷା ଦିଆଯାଉଛି । ଫଳରେ ସେମାନେ ନିଜ ନିଜର ବ୍ୟବସାୟ ପରିଚାଳନା ଲାଗି ଅଧିକ ଦକ୍ଷ ହୋଇପାରୁଛନ୍ତି ।
‘କମ୍ପ୍ୟୁଟର ଶିଖିବା ଲାଗି ମା ମନେଙ୍କର ଆଗ୍ରହ ରହିଥିଲା । ମିଶନ ଶକ୍ତି ଭବନ ହେବାରୁ ମୋର ଏହି ଇଚ୍ଛା ପୂରଣ ହୋଇପାରିଛି । ମୁଁ ଏବେ ନିଜେ କମ୍ପୁଟର ଚଲାଇବା ସହ ବିଭିନ୍ନ କାମ ସୁବିଧାରେ କରିପାରୁଛି । ଆଗକୁ ଏହା ମତେ ଅଧିକ ସହାୟକ ହେବ’, କହିଛନ୍ତି ଯାଜପୁର ଜିଲ୍ଲାର ଜଣେ ଏସଏଚଜି ମା’ ଅନନ୍ୟା ସାହୁ ।
ସେହିପରି ମିଶନ ଶକ୍ତି ଭବନରେ ଏସଏଚଜି ମା’ ମାନଙ୍କ ପାଇଁ ବିଧଦ୍ଧ ସିଲେଇ ତାଲିମ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଭବନରେ ୫୦ଟି ସିଲେଇ ମେସିଦ ରହିଛି ଏବଂ ଆବଶ୍ୟକ ପ୍ରଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ଏହି ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ଯାଜପୁର ଜିଲ୍ଲାର ଅନେକ ଏସଏଚଜି ସଦସ୍ୟା ସ୍ୱାବଲମ୍ବୀ ହେଉଛନ୍ତି ।
ଏହି ୪୫ ଦିନିଆ ତାଲିମ ଶେଷ ହେବା ପରେ ଜିଲ୍ଲାସ୍ତରୀୟ ମିଶନ ଶକ୍ତି ମହାସଂଘ ପକ୍ଷରୁ ଏସଏଚଜି ମା’ ମାନଙ୍କୁ ମାଗଣାରେ ଗୋଟିଏ ଲେଖାଏଁ ସିଲେଇ ମେସିନ ଦିଆଯାଇଛି । ଫଳରେ ସେମାନେ ଘରେ ରହି ବିଭିନ୍ନ ପ୍ରକାର ସିଲେଇ କାମ କରି ଭଲ ଦି’ ପଇସା ରୋଜଗାର କରିପାରୁଛନ୍ତି ।
‘ ଆଗରୁ ଆମେ ଘରେ ଘରେ ବଡି , ପାମ୍ପଡ ଆଦି ତିଆରି କରୁଥିଲେ । ହେଲେ ଏବେ ସିଲେଇ ଶିଖି ଏହି ନୂଆ କାମ କରିପାରୁଛୁ । ପ୍ରଶାସନ ପକ୍ଷରୁ ଆମକୁ ଅଙ୍ଗନବାଡି ଏବଂ ସ୍କୁଲ ପିଲାଙ୍କ ପାଇଁ ୟୁନିଫର୍ମ ତିଆରି କାମ ମିଳୁଛି । ଏହା ଆମକୁ ରୋଜଗାରର ଏକ ନୂଆ ବାଟ ଦେଖାଇଛି’ , କହିଛନ୍ତି ଜିଲ୍ଲାର ଆଉ ଜଣେ ଏସଏଚଜି ସଦସ୍ୟା ମିନତି ସେନାପତି ।
ମିଶନ ଶକ୍ତି ଭବନରେ ଗୋଲ୍ଡେନ ଗ୍ରାସ, ନଡିଆ କତା, ଝୋଟରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି ପାଇଁ ମଧ୍ୟ ଏସଏଚଜି ମହିଳାମାନଙ୍କୁ ତାଲିମ ଦିଆଯାଉଛି । ଏହିସବୁ ହସ୍ତକଳା ସାମଗ୍ରୀର ଆଜି ବଜାରରେ ଚାହିଦା ବଢୁଛି ।
ଯାଜପୁର ଜିଲ୍ଲାର ୧୦ ଟି ବ୍ଲକ ଓ ୨ଟି ପୌରପାଳିକାରେ ରହିଛି ୨୫ ହଜାରରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ । ସେଥିମଧ୍ୟରୁ ଅଧିକାଂଶ ଗୋଷ୍ଠୀ ହସ୍ତତନ୍ତ, ଟେରାକୋଟା, ଘର ସାଜସଜ୍ଜା ଉପକରଣ ଓ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଚନ୍ତି । ଏସବୁ ଜିନିଷର ପ୍ରଦର୍ଶନୀ ଏବଂ ନିୟମିତ ବିକ୍ରି ବଟା ଲାଗି ମିଶନ ଶକ୍ତି ଭବନରେ ସ୍ୱତନ୍ତ୍ର ଆଉଟଲେଟ ଖୋଲାଯାଇଛି ।
ମିଶନ ଶକ୍ତି ଭବନକୁ ଏକ ବହୁମୁଖୀ ଭିତ୍ତିଭୂମି ରୂପେ ନିର୍ମାଣ କରାଯାଇଛି । ଏଠାରେ ତାଲିମ ଓ ବିକ୍ରୟ କେନ୍ଦ୍ର ଛଡା ବିଭିନ୍ନ ପ୍ରକାର ବ୍ୟବହାର ପାଇଁ ଆନୁଷଙ୍ଗିକ ଭିତ୍ତିଭୂମି ରହିଛି । ସଭାସମିତି ପରିଚାଳନା ପାଇଁ ଅଡିଟୋରିୟମ, ମା’ ମାନଙ୍କ ବୈଠକ ପାଇଁ ସଭାଗୃହ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସୁଥିବା ଏସଏଚଜି ସଦସ୍ୟାଙ୍କ ରହିବା ସୁବିଧା ପାଇଁ ରହଣି ସ୍ଥଳର ବ୍ୟବସ୍ଥା କରାଯାଇଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟାମାନଙ୍କ ସଶକ୍ତିକରଣ ଦିଗରେ ଏକ ଇଙ୍ଗ ଭୂମିକା ଗ୍ରହଣ କରିଛି ମିଶନ ଶକ୍ତି ଭବନ । ଏଠାରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସହ ଡିଜିଟାଲ ସାକ୍ଷରତା ପାଇଁ ୧୦ ହଜାରରୁ ଅଧିକ ମା’ଙ୍କୁ ତାଲିମ ଦିଆଯିବା ଫଳରେ ସେମାନଙ୍କ ଦକ୍ଷତା ବଢି ପାରିଛି । ସହର ବା ଗାଁରେ ରହି ଆଜି ସେମାନେ ମୋବାଇଲ ଫୋନ ବ୍ୟବହାର କରି ଅନଲାଇନ ଜରିଆରେ ନିଜ ନିଜର କାରବାର ପରିଚାଳନା କରିପାରୁଛନ୍ତି’, କହିଚନ୍ତି ଯାଜପୁର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ ।
ଏହି ଭବନର ପରିଚାଳନା ଦାୟିତ୍ୱ ଯାଜପୁର ଜିଲ୍ଲା ମିଶନ ଶକ୍ତି ମହାସଂଘ ହତରେ ନ୍ୟସ୍ତ କରାଯାଇଛି । ଏଠାରେ ଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ମହାସଂଘର ସାଭାପତି ସୁଜାତା ସାହୁ କହିଛନ୍ତି । ଏହି ଭବନରେ ଏସଏଚଜି ମା’ ମାନଙ୍କ କୀବିକା ପାଇଁ ବିଭିନ୍ନ ପ୍ରକାରର ତାଲିମ ଦିଆଯାଉଛି । ତେଣୁ ଜିଲ୍ଲାର ବିଭିନ୍ନ ଗାଁ ଓ ସହରରୁ ମହିଳାମାନେ ନିୟମିତ ଏଠାକୁ ଆସୁଛନ୍ତି । ସେମାନଙ୍କ ପାଇଁ ଏଠାରେ ଦକ୍ଷତା ବିକାଶ ଓ ଉତ୍ପାଦନ କ୍ଷମତା ବୃଦ୍ଧି ତାଲିମ ସହ ବଜାର ସଂଯୋଗ ବ୍ୟବସ୍ଥା କରାଯାଇଛି ।
ରାଜ୍ୟର ୮ଟି ଖଣି ପ୍ରଭାବିତ ଜିଲ୍ଲାରେ ଆଦିବାସୀ ଓ ସ୍ଥାନୀୟ ଅଞ୍ଚଳର ବିକାଶକୁ ଦୃଷ୍ଟିରେ ରଖି ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ଲାଗି ଓମ୍ବାଡସି ପାଣ୍ଠିରୁ ଅର୍ଥ ବ୍ୟବସ୍ଥା କରାଯାଉଛି । ଯାଜପୁରରେ ଓମ୍ବାଡସି ସହାୟତାରେ ନିର୍ମିତ ମିଶନ ଶକ୍ତି ଭବନ ଆଜି ଜିଲ୍ଲାର ମହିଳା ସଶକ୍ତିକରଣ ପାଇଁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବୀ କରିପାରିଛି । ଏହା ସହିତ ସେମାନଙ୍କ ଦୀର୍ଘସ୍ଥାୟୀ ଜୀବିକା ପାଇଁ ମଧ୍ୟ ଏକ ଆଶା ହୋଇପାରିଛି ।