ତେଲେଙ୍ଗାନାରେ ବଡ ବିସ୍ଫୋରଣ, ଚାଲିଗଲା ୧୦ ଜଣଙ୍କ ଜୀବନ

ତେଲେଙ୍ଗାନା: ତେଲେଙ୍ଗାନା ସଙ୍ଗାରେଡ୍ଡି ଜିଲ୍ଲାର ପସମିଲାରାମ ଶିଳ୍ପ ଅଞ୍ଚଳରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ସିଗାଚି ରାସାୟନିକ ଫ୍ୟାକ୍ଟ୍ରିରେ ରିଆକ୍ଟର ଫାଟିଯିବାରୁ ଭୟଙ୍କର ବିସ୍ଫୋରଣ ହୋଇଛି  । ଯାହଚୁ ନେଇ ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟିହୋଇଛି  । ବିସ୍ଫୋରଣର ଶବ୍ଦ ଏତେ ତୀବ୍ର ଥିଲା ଯେ ଆଖପାଖ ଅଞ୍ଚଳ ମଧ୍ୟ ଥରି ଉଠିଥିଲା  । ବିସ୍ଫୋରଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି  ।

ମିଳିଥିବା ସୂଚନା ଅନୁସାରେ, ଅଚାନକ ରାସାୟନିକ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ଯୋଗୁଁ ଫ୍ୟାକ୍ଟ୍ରିର ଛାତ ଉଡିଯାଇଥିଲା  । ଫଳରେ କାରଖାନାରେ କାମ କରୁଥିବା ଶ୍ରମିକ ମାନେ ୧୦୦ ମିଟର ଦୁରକୁ ଛିଟିକି ପଡିଥିଲେ  । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ରିଏକ୍ଟରରେ ବିସ୍ଫୋରଣର ଶବ୍ଦ ଅନେକ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା  । ବିସ୍ଫୋରଣ ଏତେ ତୀବ୍ର ଥିଲା ଘଟଣାସ୍ଥଳରେ ହିଁ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା  । କାରଖାନାର କୋଠାଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା  । ସେହିପରି ଆଖପାଖ ଅନ୍ୟ କୋଠା ସବୁ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି  ।

ତେବେ ବିସ୍ଫୋରଣରେ ମୋଟ୍ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କର ଘଟଣାସ୍ଥଳେ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଛି। ସେହିପରି ୨୦ ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସମସ୍ତଙ୍କୁ ନିକଟସ୍ଥ ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଖବରପାଇ ଘଟଣାସ୍ଥଳରେ ୧୧ଟି ଅଗ୍ନିଶମ ଗାଡ଼ି ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ  । ନିଆଁ ସାମାନ୍ୟ ଆୟତ୍ତ ହୋଇଥିବା ବେଖେ ଏବେ ସୁଦ୍ଧା ମଧ୍ୟ ସମ୍ପୁର୍ଣ୍ଣ ଭାବେ ଲିଭିନାହିଁ  । ଅନ୍ୟପଟେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି  । ଭଗ୍ନାବଶେଷ ତଳେ ଆହୁରି ଅନେକ ଲୋକ ଫସି ରହିଥିବା ସମ୍ଭାବନା ରହିଛି  ।

ଅନ୍ୟପଟେ ଘଟଣାସ୍ଥଳରେ ସଙ୍ଗାରେଡି ଜିଲ୍ଲାପାଳ ଏବଂ ଏସପି ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି  । ତେବେ ଦୁର୍ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯିବ  । ଏହି ଦଳ ରିଆକ୍ଟର ବିସ୍ଫୋରଣ ପଛରେ ପ୍ରକୃତ କାରଣ କ’ଣ ତାହା ଖୋଜିବ ବୋଲି କହିଛନ୍ତି ଏସପି  । ତେବେ ଏହି ଦୁର୍ଘଟଣା ପୁଣି ଥରେ କାରଖାନାରେ ସୁରକ୍ଷା ପ୍ରୋଟୋକଲର ଗମ୍ଭୀରତାକୁ ସାମ୍ନାକୁ ଆଣିଛି।