ସିରିଜ ଘୂର୍ଣ୍ଣିବଳୟ;ପ୍ରବଳ ବର୍ଷା କାଚିବ, ୭ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର(ରିପୋଟର୍ସ ଟୁଡେ);- ରାଜ୍ୟରେ ଦୁଇ ସପ୍ତାହ ମଧ୍ୟରେ ପ୍ରବଳ ବର୍ଷା କାଚିବ । କାରଣ ଓଡିଶା ଉପରେ ସିରିଜ ଘୂର୍ଣ୍ଣିବଳୟରହିଛି । ଯାହାଫଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏବଂ ୭ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ପ୍ରଥମ ସପ୍ତାହରେ ଉପକୂଳ, ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବ । କିନ୍ତୁ ଦକ୍ଷିଣ ଓଡ଼ିଶାରେ ବର୍ଷା ସ୍ୱାଭାବିକଠାରୁ କମ୍ ରହିବ । ୨୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ବର୍ଷା ହେବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ।ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ସନ୍ଧ୍ୟାରେ ଝାଡ଼ଖଣ୍ଡ ଅତିକ୍ରମ କରିଛି । ଏହା ଘନୀଭୂତ ହେବା ସହ ପଶ୍ଚିମ ଆଡ଼କୁ ମୁହାଁଇଛି ।

୨୭ ତାରିଖରେ ଏହା ଗୁଜରାଟ ଉପରେ ରହିବ । ୨୬ ତାରିଖରେ ମୌସୁମୀ ଟ୍ରଫ୍ର ପୂର୍ବ ଭାଗରେ ପଶ୍ଚିମବଙ୍ଗ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୪୮ ଘଣ୍ଟା ଭିତରେ ଏହା ମୌସୁମୀ ଟ୍ରଫ୍ରେ ମିଶିଯିବ । ୨୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ରାଜ୍ୟରେ ମୌସୁମୀ ବର୍ଷା ୧୨% ନିଅଣ୍ଟିଆ ରହିଛି । ୧୧ ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ଅଧିକ ରହିଛି । ପୁଣି ଭାରତ ମହାସାଗରରେ ମେଡେନ ଜୁଲିଅନ ଓସିଲେସନ ରହିଛି । ଏହା ସକ୍ରିୟ ହେଲେ ବଙ୍ଗୋପସାଗରୀୟ ମୌସୁମୀ ଶାଖା ଅଧିକ ସକ୍ରିୟ ହେବ । ଆସନ୍ତା ଦୁଇ ସପ୍ତାହ ଓଡ଼ିଶା ସମେତ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ବର୍ଷା ଲାଗି ରହିବ ବୋଲି ଡ. ପଶୁପାଳକ ଆକଳନ କରିଛନ୍ତି । ଉପକୂଳ ଓଡ଼ିଶାରେ ୨୫, ୨୭, ୨୯ ଓ ୩୧ ତାରିଖରେ ମଧ୍ୟମ ଧରଣର ବର୍ଷା ହେବ ।

ଉତ୍ତର ଆଭ୍ୟନ୍ତରରେ ୨୬ ଓ ୨୭ ତାରିଖରେ ଭାରୀ ବର୍ଷା ହୋଇପାରେ । ୨୫ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼ ଓ କେନ୍ଦୁଝରରେ ଭାରୀ ବର୍ଷା ସମ୍ଭାବନା ଅଛି । ୨୬ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ୭୦ରୁ ୧୧୦ମିମି ପର୍ୟ୍ୟନ୍ତ ବର୍ଷା ହେବ ।