ନୂଆଦିଲ୍ଲୀ: ଗାନ୍ଧୀ ପରିବାରର ଖାସ ଅନୁଗତ ଭାବେ ଜଣାଶୁଣା କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କଂଗ୍ରେସରରୁ ଇସ୍ତଫା ଦେଇଛନ୍ତି। ବିଭିନ୍ନ ଦଳୀୟ ପଦ ପଦବୀ ସହ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିକଟରେ ଜାମ୍ମୁ କାଶ୍ମୀର ପ୍ରଦେଶ କଂଗ୍ରେସର ପ୍ରଚାର କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ୭୩ ବର୍ଷିୟ ଶ୍ରୀ ଆଜାଦ କଂଗ୍ରେସ ଦଳରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମେ ଦୁଇଟି ଟର୍ମରେ ୧୯୮୦ ରୁ ୧୯୮୯ ପର୍ଯ୍ୟନ୍ତ ଲୋକସଭା ସଦସ୍ୟ ରହିଥିଲେ। ଏହା ପରେ କଂଗ୍ରେସ ଟିକେଟରେ ୧୯୯୬ରୁ ୨୦୦୬ ପର୍ଯ୍ୟନ୍ତ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ପୁଣିଥରେ ୨୦୦୯ରୁ ୨୦୨୧ ପର୍ଯ୍ୟନ୍ତ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୫ରୁ ୨୦୦୮ ପର୍ଯ୍ୟନ୍ତ ଜାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୟୁପିଏ ସରକାରର ଦ୍ୱିତୀୟ ପାଳିରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେ ୨୦୧୪ରୁ ୨୦୨୧ ପର୍ଯ୍ୟନ୍ତ ରାଜ୍ୟସଭାର ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିଥିଲେ। ତାଙ୍କୁ ୨୦୨୨ରେ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା।
ସେପଟେ ଶ୍ରୀ ଆଜାଦ ୫ ପୃଷ୍ଠା ସମ୍ବଳିତ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପ୍ରଦାନ କରିଛନ୍ତି। ଏଥିରେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି। ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ୨୦୧୩ରେ ଆପଣ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସର ଉପାଧ୍ୟକ୍ଷ କରାଇଥିଲେ। ସେବେଠାରୁ ବରିଷ୍ଠ ଓ ଅଭିଜ୍ଞ ନେତାମାନଙ୍କର ଆଉ ପରାମର୍ଶ ଲୋଡା ଯାଇନଥିଲା। ରାହୁଲ ରାଷ୍ଟ୍ରପତିଙ୍କ ଦ୍ୱାରା ଅର୍ଡିନାନ୍ସକୁ ଚିରି ଦେବା ୨୦୧୪ ଲୋକସଭା ନିର୍ବାଚନ ପରାଜୟର ପ୍ରମୁଖ କାରଣ ବୋଲି କହିଥିଲେ। କାରଣ ଗଣମାଧ୍ୟମ ସାମ୍ନାରେ ଉକ୍ତ ଅର୍ଡିନାନ୍ସକୁ ଚିରିଦେବା ତାଙ୍କର ସବୁଠାରୁ ବଡ ପିଲାଳିଆମି ଥିଲା। ତାଙ୍କର ପିଲାଳିଆମି ଆଚରଣ ଯୋଗୁ ପ୍ରଧାନମନ୍ତ୍ରୀ ଓ ଭାରତ ସରକାରଙ୍କ ଅଧିକାରକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେଇଥିଲା। ୨୦୧୪ରେ ୟୁପିଏ ସରକାରଙ୍କ ପରାଜୟ ପାଇଁ ଏହି ଘଟଣା ସବୁଠାରୁ ଦାୟୀ ବୋଲି ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ରାହୁଲ ଗାନ୍ଧୀ କଳଙ୍କିତ ନେତାମାନଙ୍କୁ ବଞ୍ଚାଇବା ପାଇଁ ୟୁପିଏ ସରକାର ଆଣିଥିବା ଅଧ୍ୟାଦେଶକୁ ଚିରି ଦେଇଥିଲେ। ସେ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ବିଦେଶ ଗସ୍ତରେ ରହିଥିଲେ। ଆପଣ ଆଉ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦଳ ଦୁଇଟି ଲୋକସଭା ନିର୍ବାଚନରେ ପରାଜୟର ସାମ୍ନା କରିଛି। ୨୦୧୪ରୁ ୨୦୨୨ ମଧ୍ୟରେ ଅନୁଷ୍ଠିତ ୪୯ଟି ବିଧାନସଭା ନିର୍ବାଚନ ମଧ୍ୟରୁ ୩୯ଟିରେ କଂଗ୍ରେସକୁ ପରାଜୟର ସାମ୍ନା କରିବାକୁ ପଡିଛି। ବର୍ତ୍ତମାନ ଦଳ ଦୁଇଟି ରାଜ୍ୟରେ ଶାସନ କରୁଛି। ଅନ୍ୟ ଦୁଇଟି ରାଜ୍ୟରେ ସହଯୋଗୀ ଦଳଙ୍କୁ ନେଇ ରାଜ୍ୟ ଶାସନ କାର୍ଯ୍ୟ ଚଳାଇଛି। ସୋନିଆ ଗାନ୍ଧୀ ଦଳର ସଭାପତି ରହିଥିଲେ ସୁଦ୍ଧା ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରାହୁଲ ଗାନ୍ଧୀ ହିଁ ନେଉଛନ୍ତି ବୋଲି ଟାର୍ଗେଟ କରିଥିଲେ।