ଭୁବନେଶ୍ୱର: ଗତକାଲି ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିବା ପରେ ଆଜି ଆଇପିଏସ ଅଫିସର ଆଶିଷ ସିଂଙ୍କ ହୋଇଛି ବଦଳି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏହି ଅଫିସରଙ୍କୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି । ଏନେଇ ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ତେବେ ରାଜ୍ୟରେ ନିର୍ବାଚନ ଆରମ୍ଭ ହେବା ସମୟରୁ ହିଁ ବିବାଦରେ ଥିଲେ ଆଇପିଏସ୍ ଆଶିଷ ସିଂ । ନିର୍ବାଚନ ସମୟରେ ସେ ବିଜେଡି ପାଇଁ କାମ କରୁଥିବା ବିଜେପି ଅଭିଯୋଗ କରିଥିଲା । ଏମିତି କି ତାଙ୍କ ଛୁଟିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ଅସୁସ୍ଥତା ଦର୍ଶାଇ ସେ ଛୁଟି ନେଇଥିବାରୁ, ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଆଉ ସେ ସମ୍ପୂର୍ଣ୍ଣ ଥିବା ଜାଣିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ ଆୟୋଗ । ଛୁଟି ସରିବା ପରେ ଆଶିଷ ସିଂ କାର୍ୟ୍ୟରେ ଯୋଗ ଦେଇଥିଲେ । ଆଉ ଏବେ ତାଙ୍କର ବାଦଳି କରାଯାଇ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଥିବା ସୂଚନା ରହିଛି ।