ପୁରୀ: ପୁଣିଥରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ୁଥିବା ଦେଖାଯାଇଛି, ଯାହା ଭକ୍ତମାନଙ୍କ ମଧ୍ୟରେ ଉଦବେଗ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ବାନା ପରିବର୍ତ୍ତନ ସମୟରେ ଦୁଇଟି ଡ୍ରୋନ ଭିଡିଓ ସୁଟ୍ କରୁଥିବା ନଜରକୁ ଆସିଥିଲା। ସନ୍ଧ୍ୟା ୫ଟା ୨୫ ମିନିଟ୍ରୁ ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଏହି ଡ୍ରୋନଗୁଡ଼ିକ ଶ୍ରୀମନ୍ଦିର ଚୂଡ଼ା ଉପରେ ଘୂରିଥିଲା। ଏହାକୁ ନେଇ ଭକ୍ତମାନେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଜଣେ ଶ୍ରଦ୍ଧାଳୁ କହିଛନ୍ତି ଯେ, ଶ୍ରୀମନ୍ଦିର ଭଳି ହାଇ ସିକ୍ୟୁରିଟି ଜୋନରେ ଡ୍ରୋନ ଉଡ଼ାଣ ସୁରକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ଜଟିଳ। ଯଦି ଡ୍ରୋନ ମାଧ୍ୟମରେ କୌଣସି ଅସାଧୁ କାର୍ଯ୍ୟ ହୁଏ, ତେବେ ବଡ଼ ପରିଣାମ ହେବାର ଆଶଙ୍କା ରହିଛି।
ଘଟଣା ପରେ ପୁରୀ ପୋଲିସ ଡ୍ରୋନ ଉଡ଼ାଇଥିବା ୨ ଜଣଙ୍କୁ ଅଟକ ରଖିଛି ଏବଂ ତଦନ୍ତ ଆରମ୍ଭ କରିଛି। ପୋଲିସ କହିଛି ଯେ, ଆଇନ ଅନୁସାରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପଟେ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଆଣ୍ଟି-ଡ୍ରୋନ ବ୍ୟବସ୍ଥା ଲାଗୁ କରିବାକୁ ପୂର୍ବରୁ ଘୋଷଣା ହୋଇଥିଲେ ମଧ୍ୟ, ସେଥିରେ ଏପର୍ଯ୍ୟନ୍ତ ପ୍ରୟୋଗ ନ ହେବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।