ବଡ ଖବର: ଆସନ୍ତା ୭ରେ ରାଜ୍ୟରେ ଖୋଲିବ ସ୍କୁଲ, କଲେଜ ଓ ବିଶ୍ଵବିଦ୍ୟାଳୟ
ଫେବ୍ରୁଆରୀ ୧୪ରୁ ଖୋଲିବ କେଜିରୁ ସପ୍ତମ ପର୍ଯ୍ୟନ୍ତ ସ୍କୁଲ
ଭାବନେଶ୍ୱର: ରାଜ୍ୟରେ ଆସନ୍ତା ୭ରେ ଖୋଲିବ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ । ହଷ୍ଟେଲ ମଧ୍ୟ ଖୋଲିବା ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଅଷ୍ଟମ ଶ୍ରେଣୀରୁ ଉପରକୁ ସମସ୍ତ ସ୍କୁଲ ଖୋଲିବ । ସେହିପରି କେଜିରୁ ସପ୍ତମ ପର୍ଯ୍ୟନ୍ତ ସ୍କୁଲ ଫେବ୍ରୁଆରୀ ୧୪ରୁ ଖୋଲିବ ।ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଜାରି ହେବ ନୂଆ SOP । SOP ଜାରି କରିବେ ସମ୍ପୃକ୍ତ ବିଭାଗ ଓ ଶିକ୍ଷାନୁଷ୍ଠାନ । ଏହାସହ କରୋନା ଗାଇଡ୍ଲାଇନ ମଧ୍ୟରେ ପାଠ ପଢ଼ାଯିବ । ତେବେ ଛାତ୍ରଛାତ୍ରୀମାନେ ଉଭୟ ଅନଲାଇନ୍ ଏବଂ ଅଫଲାଇନରେ କ୍ଲାସ କରିପାରିବେ । କେଜିରୁ ୯ମ ଯାଏଁ କ୍ଲାସ ପ୍ରମୋସନ୍ ପରୀକ୍ଷା ହେବ । ଏହି ପରୀକ୍ଷା କ୍ଲାସରୁମ ଆସେସମେଣ୍ଟ ଆଧାରରେ ହେବ । ଦଶମ, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ ବୋର୍ଡ ବ୍ୟବସ୍ଥା କରିବ । ଦରକାର ପଡ଼ିଲେ ଖରା ଛୁଟି ଅବଧି କମାଇ ପାଠ ପଢ଼ାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।