ଦ୍ବିତୀୟ ବିଶ୍ବଯୁଦ୍ଧର ୮୦ ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀ ସ୍ଥିତ ଋଷ ଦୂତାବାସରେ ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ କରିଛି ଋଷ ସରକାର
ନୂଆଦିଲ୍ଲୀ-: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପରାକ୍ରମି ପାଇଲଟ ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ କରିଛି ଋଷ ସରକାର । ଦ୍ବିତୀୟ ବିଶ୍ବଯୁଦ୍ଧର ୮୦ ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀ ସ୍ଥିତ ଋଷ ଦୂତାବାସରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନାମଫଳକ ଉନ୍ମୋଚନ ହେବା ସହ ପଦକ ପ୍ରଦାନ କରାଯାଇଛି । ଏହି ଉତ୍ସବରେ ଯୋଗଦେବା ଲାଗି ଋଷ ସରକାରଙ୍କ ତରଫରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଥିଲା । ତେବେ ବିଜୟ ଉତ୍ସବ ପାଇଁ ମେ ୯ ତାରିଖରେ ମସ୍କୋରେ ବିଶାଳ କାର୍ଯ୍ୟକ୍ରମ ଆୟୋଜନ ହେବ ।
ଦ୍ଵିତୀୟ ବିଶ୍ୱଯୁଦ୍ଧରେ ବିଜୁ ବାବୁଙ୍କ ସାହସ ଶୌର୍ଯ୍ୟ ଓ ପରାକ୍ରମର ଗାଥା ଆଜି ପୁଣି ଗୁଞ୍ଜରିତ ହୋଇଥିଲା ନୂଆଦିଲ୍ଲୀ ସ୍ଥିତ ଋଷ ଦୂତାବାସରେ । ଷ୍ଟାଲିନ ଗ୍ରାଡ଼ ଅଭିଯାନରେ ବିଜୁବାବୁଙ୍କ ଅବଦାନକୁ ମନେପକାଇ ତାଙ୍କ ସମ୍ମାନ ଉଦ୍ଦେଶ୍ୟରେ ଋଷିଆ ହାଉସରେ ଆଜି ସକାଳେ ଆୟୋଜିତ ହୋଇଥିଲା ଏକ ଭବ୍ୟ ଉତ୍ସବ । ଏଥରେ ମୁଖ୍ୟଅତିଥି ଭାବେ ବିଜୁ ବାବୁଙ୍କ ସୁପୁତ୍ର ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ସାମିଲ ହୋଇଥିଲେ । ଭାରତରେ ଋଷର ରାଷ୍ଟ୍ରଦୂତ ମିଃ ଡେନିସ ଅଲିପୋବଙ୍କ ଉପସ୍ଥିତିରେ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ସମର୍ପିତ ସ୍ମାରକୀ ଫଳକ ଉନ୍ମୋଚନ ହୋଇଥିଲା ।