ଦୀର୍ଘ ବର୍ଷ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧରେ ପଡ଼ିପାରେ ପୂର୍ଣ୍ଣଚ୍ଛେଦ। ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ରୁଷ ଓ ୟୁକ୍ରେନ ପ୍ରତିନିଧିମାନେ ୟୁଏଇରେ ଆରମ୍ଭ କରିଛନ୍ତି ଆଲୋଚନା। ଆମେରିକା ମଧ୍ୟସ୍ଥି ଭୂମିକାରେ ରହିଥିବା ବେଳେ ଭାରତ ମଧ୍ୟ ଶାନ୍ତି ପ୍ରତିଷ୍ଠା ପ୍ରକ୍ରିୟାରେ ସକ୍ରିୟ ଭୂମିକା ନିର୍ବାହ କରୁଥିବା ସଙ୍କେତ ମିଳିଛି।
ମଙ୍ଗଳବାର ଠାରୁ ଅବୁଧାବିରେ ରୁଷ ଓ ୟୁକ୍ରେନ ଆରମ୍ଭ କରିଛନ୍ତି ଶାନ୍ତି ପ୍ରତିଷ୍ଠା ଆଲୋଚନା। ଆମେରିକା ମଧ୍ୟସ୍ଥତାରେ ଯୁଦ୍ଧ ବନ୍ଦ କରିବାକୁ ଚାଲିଛି ପ୍ରୟାସ। ଏସବୁ ଭିତରେ ରୁଷ-ୟୁକ୍ରେନ ଯୁଦ୍ଧର ପରିସମାପ୍ତି ପାଇଁ ନୂଆଦିଲ୍ଲୀ କରୁଥିବା କୂଟନୀତିକ ପ୍ରୟାସ ସମ୍ପର୍କରେ ଭାରତ ସରକାର ଦେଇଛନ୍ତି ବିସ୍ତୃତ ତଥ୍ୟ।
ଉଭୟ ଦେଶ ଓ ଅନ୍ୟ ଅଂଶୀଦାରଙ୍କ ସହ ସର୍ବୋଚ୍ଚ ସ୍ତରରେ ଆଲୋଚନା ଚାଲିଥିବା ସ୍ପଷ୍ଟ କରିଛି ଭାରତ। ବ୍ଲାକ ସି’ରେ ପରିବହନ, ଶସ୍ୟ ଓ ଶକ୍ତି ରପ୍ତାନୀ ସହ ସମ୍ଭାବ୍ୟ ଆକ୍ରମଣ ପ୍ରତିରୋଧ ଭଳି କ୍ଷେତ୍ରରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ସରକାର ଉଦ୍ୟମ କରୁଥିବା କହିଛନ୍ତି।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ କହିଛନ୍ତି ଯେ “ୟୁକ୍ରେନ୍ ପ୍ରସଙ୍ଗରେ ଭାରତ ପକ୍ଷରୁ କେଉଁ ପ୍ରକାରର ଉଦ୍ୟମ କରାଯାଉଛି, ସେ ସମ୍ପର୍କରେ ମୁଁ ପୂର୍ବରୁ ବିସ୍ତୃତ ଭାବେ ଜଣାଇଛି। ଆମେ ଉଭୟ ଦେଶ ଓ ଏହାସହ ଜଡ଼ିତ ଅନ୍ୟପକ୍ଷଙ୍କ ସହ ଆଲୋଚନା କରୁଛୁ। ଆଲୋଚନା ସର୍ବୋଚ୍ଚ ସ୍ତରରେ ହେଉଛି।”
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନକ ତଳେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କିଙ୍କ ସହ କଥା ହୋଇଥିଲେ। ସେହିପରି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।