ଇରାନର ବୈଦେଶିକ ମନ୍ତ୍ରଣାଳୟ ଆର୍ଜେଣ୍ଟିନାର ନୌସେନା ଓ ବାୟୁ ସେନାକୁ ବିଧିବଦ୍ଧ ଭାବେ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି ଇରାନ । ଅର୍ଥାତ ଆର୍ଜେଣ୍ଟିନାର ସେନା ଅଧିକାରୀ ଓ ଯବାନମାନେ ଇରାନ ଦୃଷ୍ଟିରେ ଏଣିକି ଆତଙ୍କବାଦୀ। ସେମାନଙ୍କ ସହ ଇରାନ ଆତଙ୍କବାଦୀ ଭାବେ ହିଁ ବ୍ୟବହାର କରିବ।
ଇରାନ ପୂର୍ବରୁ ଆର୍ଜେଣ୍ଟିନା ମଧ୍ୟ ସମାନ ପଦକ୍ଷେପ ନେଇଥିଲା। ମାର୍ଚ୍ଚ ଶେଷ ଭାଗରେ ଇରାନର ଇସଲାମିକ ରିଭ୍ୟୁଲେସନାରୀ ଗାର୍ଡ କ୍ରପ୍ସକୁ ଗୋଟିଏ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଥିଲା। ଆଇଆରଜିସି ଲେବାନନର ବିଦ୍ରୋହୀ ଗୋଷ୍ଠୀ ହେଜବୁଲ୍ଲାକୁ ସମର୍ଥନ କରୁଥିବାରୁ ଆର୍ଜେଣ୍ଟିନା ଏପରି ପଦକ୍ଷେପ ଗ୍ରହଣ କରିଥିଲା।
ଆର୍ଜେଣ୍ଟିନାର କହିବା କଥା ଯେ ହେଜବୁଲା ପକ୍ଷରୁ ୧୯୯୪ରେ ରାଜଧାନୀ ବୁଏନୋସ ଆଇରେସ ଥିବା ଏଏମଆଇଏ ଇହୁଦୀ ସଂପ୍ରଦାୟକ କେନ୍ଦ୍ର ଉପରେ ହମଲା କରାଯାଇଥିଲା। ଏଥିରେ ୮୫ ଜଣ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇଥିଲେ।
ହେଜବୁଲ୍ଲା ଏତେ ବଡ଼ ଆକ୍ରମଣ କରିଥିଲେ ହେଁ ଇରାନର ଆଇଆରଜିସି ଏହାକୁ ସମର୍ଥନ କରୁଛି। ତେଣୁ ଦେଶ ପକ୍ଷରୁ ଆଇଆରଜିସିକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିଥିଲା।
ଆର୍ଜେଣ୍ଟିନାର ଏପରି ପଦକ୍ଷେପକୁ କଡ଼ା ଭାଷାରେ ନିନ୍ଦା କରିଥିବା ଇରାନ ଏବେ ଯେସାକୁ ତେସା ନୀତି ଆପଣାଇଛି। ୨୦୧୯ରେ ଇରାନ ଗୋଟିଏ ଆଇନ ପାରିତ କରିଥିଲା। ଏଥିରେ କୁହାଯାଇଥିଲା ଯେ ଯଦି କୌଣସି ଦେଶ ଇରାନର ସାମରିକ ବଳକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିବ, ତା’ହେଲେ ତେହରାନ ଉକ୍ତ ଦେଶ ବିରୋଧରେ ଯେକୌଣସି ପଦକ୍ଷେପ ନେଇପାରିବ। ଏବେ ଏହି ନିୟମ ଅନୁସାରେ ଇରାନ ପକ୍ଷରୁ ଆର୍ଜେଣ୍ଟିନାର ନୌସେନା ଓ ବାୟୁସେନାକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି।