ମୁମ୍ବାଇ ଇଣ୍ଡିଆନ୍ସକୁ ୧୨ ରନ୍‌ରେ ପରାସ୍ତ କରିଛି ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ

ମୁମ୍ବାଇ : ଘଡ଼ି ଘଡ଼ିକେ ମୋଡ଼ ବଦଳାଉଥିବା ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ସୋମବାର ପାଞ୍ଚଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ୧୨ ରନ୍‌ରେ ପରାସ୍ତ କରିଛି ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)। ୨୨୨ ରନ୍‌ର ବଡ଼ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ମୁମ୍ବାଇ ଦୁଇ ଓପନର୍ ରୋହିତ ଶର୍ମା (୧୭) ଓ ରିୟାନ ରିକେଲଟନ (୧୭)ଙ୍କ ବିଫଳତା ସତ୍ତ୍ବେ ତିଳକ ବର୍ମା (୫୬) ଓ ହାର୍ଦିକ ପାଣ୍ଡ୍ୟା (୪୨)ଙ୍କ ପରାକ୍ରମୀ ବ୍ୟାଟିଂ ପାଇଁ ବିଜୟ ଦ୍ବାର ଦେଶରେ ପହଞ୍ଚି ଯାଇଥିଲା।

ତେବେ ତିନିଟି ବଲ୍‌ ଭିତରେ ତିଳକ ଓ ପାଣ୍ଡ୍ୟାଙ୍କୁ ପ୍ୟାଭିଲିୟନ ଫେରାଇ ଆର୍‌ସିବି ମ୍ୟାଚ୍‌ରେ ରୋମାଞ୍ଚ ଭରିଥିଲା। ପୁଣି ଶେଷ ୬ ବଲ୍‌ରୁ ୧୯ ରନ୍‌ର ଦରକାର ଥିଲା ବେଳେ ସ୍ପିନର କ୍ରୁନାଲ ପାଣ୍ଡ୍ୟା ପ୍ରଥମ ଦୁଇ ବଲ୍‌ରେ ଦୁଇଟି ୱି‌କେଟ୍ ସହ ମୋଟ ତିନିଟି ୱିକେଟ୍ ନେଇଥିଲେ। ଫଳରେ ମ୍ୟାଚ୍ ପୂରା ଆର୍‌ସିବି ଆଡ଼କୁ ଢଳିଥିଲା। ମୁମ୍ବାଇ ଏହି ଓଭରରୁ କେବଳ ୬ ରନ୍ ସଂଗ୍ରହ କରି ପଞ୍ଚମ ମୁକବିଲାରୁ ଚତୁର୍ଥ ପରାଜୟ ବରଣ କରିଥିଲା। ଅନ୍ୟପକ୍ଷରେ ଆର୍‌ସିବି ଚତୁର୍ଥ ମ୍ୟାଚ୍‌ରୁ ତୃତୀୟ ବିଜୟ ପାଇଥିଲା।

ପ୍ରମୁଖ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ପ୍ରତ୍ୟାବର୍ତ୍ତନ ମୁକାବିଲାରେ ମୁମ୍ବାଇ ଟସ୍ ଜିତି ବୋଲିଂ କରିଥିଲା। ଦ୍ବିତୀୟ ବଲ୍‌ରେ ଫିଲ୍ ସଲ୍‌ଟଙ୍କୁ ବୋଲ୍‌ଡ କରି ଟ୍ରେଣ୍ଟ ବୋଲ୍‌ଟ ଦଳର ଆତ୍ମବଳ ବଢ଼ାଇଥିଲେ। ଏହା ପରେ କିନ୍ତୁ ପୂର୍ବତନ ଅଧିନାୟକ ବିରାଟ ‌କୋହଲି (୬୭ ରନ୍, ୪୨ ବଲ୍)ଙ୍କ ମାର୍ଗଦର୍ଶନରେ ଆର୍‌ସିବି ବ୍ୟାଟର୍ ପାଳି ଶେଷ ପର୍ଯ୍ୟନ୍ତ ଆଧିପତ୍ୟ ବିସ୍ତାର କରିଥିଲେ। ବୁମ୍‌ରାଙ୍କୁ ଛକାରେ ସ୍ବାଗତ କରିଥିବା କୋହଲି ନିର୍ଭୀକ କ୍ରିକେଟ୍‌ର ବଳିଷ୍ଠ ନମୁନା ଦେଖାଇଥିଲେ।

ସେ ଓ ଦେବିଦତ୍ତ ପଡ଼ିକଲ୍ (୩୭ ରନ୍, ୨୨ ବଲ୍) ଦ୍ବିତୀୟ ୱିକେଟ୍‌ରେ ମାତ୍ର ୫୨ ବଲ୍‌ରୁ ୯୫ ରନ୍ ଯୋଡ଼ି ମୁମ୍ବାଇକୁ ନୟାନ୍ତ କରିଥିଲେ। ଇମ୍ପାକ୍ଟ ପ୍ଲେୟର ବିଘ୍ନେଶ ପୁଥୁର ନବମ ଓଭରର ଶେଷ ବଲ୍‌ରେ ପଡ଼ିକଲଙ୍କୁ ଆଉଟ୍ କରି ଉଭୟଙ୍କୁ ଅଲଗା କରିଥିଲେ।

ତେବେ ୨୯ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିବା କୋହଲି ନିଜ ବିସ୍ଫୋରକ ପାଳି ଭିତରେ ଏକ ବିରଳ କୀର୍ତ୍ତିମାନ କରି ନେଇଥିଲେ। ପ୍ରଥମ ଭାରତୀୟ ଭାବେ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ୧୩,୦୦୦ ରନ୍ ପୂରଣ କରିଥିଲେ ସେ। କୋହଲି ଏହି କ୍ଷେତ୍ରରେ ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଦୁର୍ଦ୍ଧର୍ଷ ଓପନର୍ କ୍ରିସ୍ ଗେଲ୍‌ଙ୍କ ପରେ ଦ୍ବିତୀୟ ଦ୍ରୁତତମ ହୋଇଥିଲେ।