ଭଦ୍ରକ: ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା, ବୈତରଣୀ ଓ ଜଳକା ନଦୀର ଜଳସ୍ତର ବଢ଼ୁଛି। ଏପଟେ ବିପଦ ସଙ୍କେତ ଉପରେ ବୈତରଣୀ ନଦୀର ବନ୍ୟା ଜଳ ପ୍ରବାହିତ ହେଉଛି । ଆଖୁଆପଦାଠାରେ ୧୮.୯୦ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ଅନେକ ଗାଁ ପାଣିଘେରରେ ରହିଛନ୍ତି । ଚାଷଜମି ଗୁଡିକ ବୁଡି ରହିଛି । ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବଢୁଥିବାରୁ ବାଲିଆପାଳ, ଜଳେଶ୍ବର ଓ ଭେଗରାଇ ବ୍ଲକର ଶତାଧିକ ଗାଁ ଜଳମଗ୍ନ । ହେକ୍ଟର ହେକ୍ଟର ଚାଷଜମିରେ ଲହଡି ମାରୁଛି ପାଣି । ଏବେବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା । ମଥାନୀଠାରେ ବିପଦ ସଙ୍କେତ ୬.୫୦ମିଟର ଥିବାବେଳେ ଆଜି ସକାଳ ୬ଟା ସୁଦ୍ଧା ୬.୭୫ ମିଟରରେ ପ୍ରବାହିତ ହେଉଛି ।
ସେହିପରି ବଲ୍ଲୀଘାଟରେ ବିପଦ ସଙ୍କେତ ୧୩.୩୪ ମିଟର ଥିବାବେଳେ ଏବେ ୧୩.୯୭ରେ ପ୍ରବାହିତ ହେଉଛି । ଏହାସହ ଦଶରଥପୁରରେ ବିପଦ ସଙ୍କେତ ୯.୫୨ ଥିବାବେଳେ ଏବେ ୧୨.୨୫ ମିଟରରେ ପ୍ରବାହିତ ହୋଇଛି । ବୈତରଣୀରେ ବନ୍ୟା ଯୋଗୁ ଦଶରଥପୁର ଓ ଯାଜପୁର ବ୍ଲକ ପ୍ରଭାବିତ ହୋଇଛି । ଦଶରଥପୁର ବ୍ଲକର ୫ଟି ପଂଚାୟତର ୧୫ରୁ ଉର୍ଦ୍ଧ୍ବ ଗାଁରେ ପଶିଛି ବନ୍ୟାଜଳ । ସେହିପରି ଜାମଶୋଳାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ।
ରାଜଘାଟରେ ଜଳସ୍ତର କମିଛି। ରାଜଘାଟରେ ବିପଦ ସଂକେତ ସ୍ତର ୧୦.୩୬ ମିଟର ଥିବା ବେଳେ ଏହାର ତଳେ ପ୍ରବାହିତ ହେଉଛି ବନ୍ୟା ଜଳ। ଅନ୍ୟପଟେ କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିର ବେଢ଼ା ଛୁଇଁଛି ଦ୍ଵିତୀୟ ବନ୍ୟାଜଳ । ଯଦି ମନ୍ଦିରରେ ବନ୍ୟାଜଳ ପ୍ରବେଶ କରେ ତେବେ ମା’ଙ୍କ ମନ୍ଦିର ପାଖରେ ଥିବା ରୋଷ ଘରକୁ ମା’ଙ୍କୁ ସ୍ଥାନାନ୍ତର କରାଯିବ । ସେଥିପାଇଁ ମା’ଙ୍କ ସେବାୟତ ସଜାଗ ଥିବାବେଳେ ବଡମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛି ।