ପାରାଦୀପ: ଅସନ୍ତା ୧୫ ତାରିଖ ଠାରୁ ମତ୍ସ୍ୟଜୀବୀଙ୍କୁ ମସୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି । ଏ ନେଇ ଓଡ଼ିଶା ସରକାରଙ୍କ ମତ୍ସ୍ୟ ନିର୍ଦ୍ଦେଶାଳୟ ୧୧ ତାରିଖରେ ନୋଟିସ (ନଂ. ୪୦୩୮) ଜାରି କରିଛନ୍ତି। ଏଥିରେ ଦର୍ଶାଯାଇଛି, ଏପ୍ରିଲ ୧୫ରୁ ଜୁନ ୧୪ ପର୍ଯ୍ୟନ୍ତ ୬୧ଦିନ ସମୁଦ୍ର ମଧ୍ୟରେ ମାଛଧରା କଟକଣା ଲାଗୁ କରାଯିବ। କାରଣ ଏହି ସମୟରେ ସମୁଦ୍ରରେ ମାଛ ବଂଶ ବୃଦ୍ଧି ଓ ଯାଅଁାଳ ସୁରକ୍ଷା ପାଇଁ ଏହା ପାଳନ ଅନିବାର୍ଯ୍ୟ। ଉକ୍ତ ନିୟମ ରାଜ୍ୟର ସବୁ ମାଛଧରା ବନ୍ଦର ପାଇଁ ଲାଗୁ ହେବ। ଏହିକ୍ରମରେ ରାଜ୍ୟର ବୃହତ୍ତମ ପାରାଦୀପ ମାଛଧରା ବନ୍ଦରରେ ରବିବାରଠାରୁ ବୋଟ୍ଗୁଡିକୁ ବର୍ଥରେ ବନ୍ଧା ଯାଇଛି। ପ୍ରାୟ ୯୦ ପ୍ରତିଶତ ବୋଟ୍ ବର୍ଥରେ ପହଞ୍ଚଛି। ଅବଶିଷ୍ଟ ବୋଟ୍ ସୋମବାର ସୁଦ୍ଧା ଫେରିବ ବୋଲି ଜଣାପଡିଛି। ଏହି କଟକଣା ସମୟରେ ସାମୁଦ୍ରିକ ମାଛ ବଜାରରେ ଉପଲବ୍ଧ ହେବ ନାହିଁ। ମାଛଧରା ବନ୍ଦ ରହିବା ଯୋଗୁ ପ୍ରାୟ ୫୦ ହଜାର ମତ୍ସ୍ୟଜୀବୀ ପରିବାର ଲୋକଙ୍କ ରୋଜଗାର ବାଧାପ୍ରାପ୍ତ ହେବ ବୋଲି କୁହାଯାଉଛି ।