ତାଳଚେର:- କୋଇଲା ଖଣି ପାଇଁ ଜୀବନ ଜୀବିକା ହରାଉଛନ୍ତି ତାଳଚେର ବ୍ଲକର ରଘୁନାଥପୁର ଗ୍ରାମବାସୀ। ଖଣି ବ୍ଲାଷ୍ଟିଙ୍ଗ୍ କରି ନିତିଦିନ କୋଇଲା ଖନନ ହେଉଥିବା ବେଳେ ଖଣି ନିକଟରେ ଥିବା ରଘୁନାଥପୁର ଗାଁ ଏଥିରେ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହେଉଛି। ଖଣି ବ୍ଲାଷ୍ଟିଙ୍ଗ୍ ଫଳରେ ଲୋକଙ୍କ ଘରଦ୍ୱାର ଫାଟି ଆଁ କଲାଣି। ଏମିତିକି ଗାଁ ର ପ୍ରତ୍ୟେକ ଲୋକଙ୍କ ଘର ଫାଟି ଯାଇଥିବା ଦେଖିବାକୁ ମିଳିଛି। ଖଣି ବ୍ଲାଷ୍ଟିଙ୍ଗ କାରଣରୁ ଏହି ସ୍କୁଲର ପିଲାଙ୍କ ପାଇଁ ରୋଷେଇ ହେଉଥିବା ଘର ଉପରୁ ବାଲି ଗୋଡ଼ି ପଡି ଖାଦ୍ୟ ନଷ୍ଟ ହେଉଛି। ଖାଲି ସେତିକି ନୁହେଁ MCL ର ପାଉଁଶ ଧଳା ପାଣି ଏବଂ କୋଇଲା ଖଣିର କଳା ପାଣିକୁ ଲୋକେ ବ୍ୟବହାର କରୁଥିବାରୁ ଲୋକେ ବିଭିନ୍ନ ରୋଗରେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି। ଏମିତି କି ପିଇବା ପାଇଁ ଭଲ ପାଣି ଟିକିଏ ମିଳୁନାହିଁ। ଗ୍ରାମର ମହିଳା ବହୁ ଦୂରକୁ ପାଣି ଆଣି ବ୍ୟବହାର କରୁଛନ୍ତି। ଅଞ୍ଚଳରେ ଭୂତଳ ଜଳ ଶୂନ୍ୟ, ସବୁ ପୋଖରୀ ସୁଖୀ ଯାଇଥିବାବେଳେ କୃଷି ଓ ପଶୁ ପାଳନ ଏଠି ସମ୍ପୂର୍ଣ ଭାବେ ବନ୍ଦ। ଏମିତି ଦୁର୍ଦିନ ସହ ଜୀବନ ବିତାଉଛନ୍ତି ରଘୁନାଥପୁର ଗ୍ରାମବାସୀ। ତେବେ ଏହି ରଘୁନାଥପୁର ଗାଁର ଲୋକେ MCL ଦ୍ୱାରା ନିଜର ଭିଟାମାଟି ହରେଇଥିବା ବେଳେ, ଆଜି ପର୍ଯ୍ୟନ୍ତ ଏହି ଗାଁ’କୁ MCL ବିସ୍ଥାପନ କରୁନାହିଁ। କେବଳ ବିସ୍ଥାପନ ପାଇଁ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଠକି ଚାଲିଛି MCL ।
ଗାଁ ବିସ୍ଥାପନ ନେଇ ରଘୁନାଥପୁର ଗ୍ରାମବାସୀ ସରକାର ଙ୍କୁ ଦାବୀ ଆବେଦନ କରିଥିଲେ ସୁଦ୍ଧା ଫଳ ଶୂନ୍ୟ। ଏ ବାବଦରେ ଗ୍ରାମବାସୀ କେନ୍ଦ୍ର ଶିକ୍ଷମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଅବଗତ କରିଥିଲେ, କିନ୍ତୁ ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଗ୍ରାମବାସୀ ଙ୍କୁ ବିସ୍ଥାପନ କରାଯାଉନାହିଁ। ନିଜର ହକ ପାଇଁ ଲଢେଉ କରୁଥିବା ଲୋକେ ବହୁବାର ତାଳଚେର ଉପଜିଲ୍ଲାପାଳ ଏବଂ ଅନୁଗୁଳ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା, ତାହା କାଗଜ କଲମରେ ଅଟକି ରହିଛି। ଥିରେ ଅତିଷ୍ଠ ହୋଇ ରଘୁନାଥପୁର ଗ୍ରାମର ପୁରୁଷ ଏବଂ ମହିଳା ଆଗାମୀ ଅଗଷ୍ଟ ୬ ତାରିଖ ଠାରୁ ଅନନ୍ତ ଓ ଭୁବନେଶ୍ୱରୀ ଖଣିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।