ମୁମ୍ବାଇ: ଶିବସେନା ନେତା ତଥା ମହାରାଷ୍ଟ୍ରର ବରିଷ୍ଠ ମନ୍ତ୍ରୀ ଏକନାଥ ସିନେ୍ଧଙ୍କୁ ନେଇ ମହାରଷ୍ଟ୍ରର ମହାଅଗାଡି ସରକାରରେ ବିଦ୍ରୋହ ଦେଖିବାକୁ ମିଳିଛି। ଯାହାଫଳରେ ସରକାର ଏକରକମର ଭୁଷୁଡି ଯିବାକୁ ବସିଛି। ଏମଏଲସି ନିର୍ବାଚନରେ ଶିବସେନାର ପରାଜୟ ପରେ ଏକନାଥ ପ୍ରଥମେ ୨୨ ବିଧାୟକଙ୍କ ସହ ସୁରଟ ପଲାଇଯାଇଥିଲେ। ପରେ ଗୌହାଟୀରେ ଥିବା ଜଣାପଡିଛି। ଏହାପରେ ଆଉ କିଛି ଦଳୀୟ ବିଧାୟକ ଏକନାଥଙ୍କ କ୍ୟାମ୍ପରେ ଯୋଗ ଦେଇଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଏକନାଥଙ୍କ କ୍ୟାମ୍ପରେ ୫୫ ଜଣ ବିଧାୟକ ରହିଥିବା ଜଣାପଡିଛି।
କ୍ରାଇସିସ ମ୍ୟାନେଜରୁ ବିଦ୍ରୋହୀ ନେତା
ଘଟଣା ଅନୁସାରେ ଏକନାଥ କେବଳ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିଶ୍ୱସ୍ତ ନଥିଲେ ବରଂ ବିଗତ ୪୦ ବର୍ଷ ଧରି ଶିବସେନାର ଜଣେ ଅକୁଣ୍ଠଚିତ ଅନୁଗାମୀ ଥିଲେ। ଏକନାଥ ପ୍ରଥମେ ଅଟୋ ଚଳାଇ ନିଜର ଗୁଜୁରାଣ ମେଣ୍ଟାଉ ଥିଲେ। ତେବେ ୧୯୮୦ରେ ଶିବସେନାର ପ୍ରାଥମିକ ସଦସ୍ୟ ଭାବେ ଯୋଗଦେଇଥିଲେ। ୨୦୦୦ ମସିହାରେ ଶିବସେନାରୁ କର୍ପୋରେଟର ହୋଇଥିଲେ। ୨୦୦୪ରେ ବିଧାୟକ ଭାବେ ନିର୍ବାଚିତ ହେବା ପରେ ରାଜ୍ୟ ରାଜନୀତିରେ ତାଙ୍କର ପତିଆରା ବୃଦ୍ଧି ଘଟିଥିଲା। ପରେ ୨୦୦୯ରେ ପୁଣି ଥରେ ବିଧାୟକ ଭାବେ ନିର୍ବାଚିତ ହେବା ସହ ଉଦ୍ଧବଙ୍କ ଘନିଷ୍ଠ ହୋଇଥିଲେ। ବର୍ତ୍ତମାନ ମହାଅଗାଡି ସରକାରରେ ଏନସିପି ଓ କଂଗ୍ରେସ ବିଧାୟକଙ୍କୁ ଗୁରୁତ୍ୱ ଦିଆଯାଉଥିବାର ଅଭିଯୋଗ କରି ଏପରି ବିଦ୍ରୋହ କରିଥିବା ଜଣାପଡିଛି। ଏହାଛଡା ଶିବସେନା ହିନ୍ଦୁତ୍ୱ ଭାବନାକୁ ଦୂରେଇ ଯାଉଥିବା ଏକନାଥ ଅନୁଭବ କରିଥିଲେ। କିଛିମାସ ଧରି ଦଳରେ ଆଦିତ୍ୟ ଠାକରେଙ୍କ ପ୍ରତିପତି ଓ ବରିଷ୍ଠ ନେତାଙ୍କୁ ଅଣଦେଖା ଭଳି ଘଟଣା ଏକନାଥଙ୍କୁ ଖୋରାକ ଯୋଗଇଥିଲା। ଯାହାର ପ୍ରତିଫଳନ ଏମଏଲସି ନିର୍ବାଚନରେ ଦଳର ପରାଜୟ ଫଳରେ ତାଙ୍କୁ ଏପରି କରିବାକୁ ବାଧ୍ୟ କରିଥିଲା। ଯାହା ଫଳରେ ଦଳର ୪୦ ବିଧାୟକଙ୍କୁ ଏକାଠି କରି ଉଦ୍ଧବ ସରକାର ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିଥିଲେ।