(ମନୋଜ କୁମାର ସାହୁ/ରାୟଗଡା): ରାୟଗଡା ଜିଲ୍ଲା ଦେଇ ଆନ୍ଧ୍ରପ୍ରଦେଶକୁ ବୋହି ଯାଉଥିବା ନାଗାବଳୀ ନଦୀ ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୁଃଖ ପାଲଟିଛି । ବର୍ଷକୁ ବର୍ଷ ଏହି ନଦୀ କୂଳ ଖାଇବା ଯୋଗୁଁ ନଦୀ ପାଖ ଗ୍ରାମବାସୀମାନେ ଆତଙ୍କିତ ହୋଇପଡିଛନ୍ତି । ନଦୀ କୂଳରେ ଚାଷ କରୁଥିବା ଲୋକେ ମଧ୍ୟ ଏଥିଯୋଗୁଁ ବ୍ୟାପକ କ୍ଷତି ସହୁଛନ୍ତି ।ନଦୀ କୁଳର ଚାଷଜମି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଜିଲ୍ଲାର କତାପେଟା, ପିତାମହଲ, ବୈ÷ରାଗୀ ହାଲୁଆ, ଜିମିଡିପଟା, ଶେଷଖାଲ ଓ କେରେଡା ପଞ୍ଚାୟତର ପ୍ରାୟ ୧୫ଟି ଗାଁ ଦେଇ ଏହି ନାଗାବଳୀ ନଦୀ ପ୍ରବାହିତ ହେଉଛି । ବର୍ଷାଦିନ ଆସିଲେ ଗାଁଗୁଡିକୁ ବିପଦ ଆଶଙ୍କା ଥିବା ଅଭିଯୋଗ କରିବା ସହ ନାଗାବଳୀ ନଦୀ ନିକଟରେ ଆଡିବନ୍ଧ ନିର୍ମାଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପୂର୍ବରୁ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ନାଗାବଳୀ ନଦୀ କୂଳରେ ବାସ କରୁଥିବା ଗ୍ରାମବାସୀ କହିଛନ୍ତି । ତେବେ ନାଗାବଳୀ ନଦୀ ପାଇଁ ଉପଜୁଥିବା ସମସ୍ୟାର ସମାଧାନ ବାବଦରେ ଜିଲ୍ଲା ପ୍ରସାସନକୁ ଲିଖିତ ଅଭିଯୋଗ କରାଯିବ ବୋଲି କହିଛନ୍ତି କୋରାପୁଟ ସାଂସଦ ।