ରଶ୍ମିକା–ବିଜୟଙ୍କ ବିବାହ କାର୍ଡ ଭାଇରାଲ, ବଢ଼ିଲା ଚର୍ଚ୍ଚା

ମୁମ୍ବାଇ: ସାଉଥ ଫିଲ୍ମ ଜଗତର ଚର୍ଚ୍ଚିତ ଯୋଡ଼ି ରଶ୍ମିକା ମନ୍ଧାନା ଓ ବିଜୟ ଦେବରକୋଣ୍ଡାଙ୍କ ସମ୍ପର୍କ ନେଇ ପୁଣିଥରେ ସୋସିଆଲ ମିଡିଆରେ ଚର୍ଚ୍ଚା ତେଜ ହୋଇଛି। ଉଭୟଙ୍କ ବିବାହ କେବେ ହେବ ବୋଲି ଫ୍ୟାନ୍ସମାନେ ବହୁଦିନ ଧରି ଅପେକ୍ଷା କରୁଥିବାବେଳେ, ଏବେ ଏକ କଥିତ ବିବାହ କାର୍ଡ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା କାର୍ଡରେ ଡିସେମ୍ବର ୨୬ ତାରିଖରେ ବିବାହ ହେବାର ତାରିଖ ଉଲ୍ଲେଖ ରହିଛି। ଅନେକ ଗଣମାଧ୍ୟମରେ ମଧ୍ୟ ଏହି ଖବର ପ୍ରକାଶ ପାଇଛି। କୁହାଯାଉଛି ଯେ, ନିକଟତମ ବନ୍ଧୁ ଓ ପରିବାରବର୍ଗ ସହ ବହୁ ଭିଆଇପି ଅତିଥିମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଏହା ସହ ମାର୍ଚ୍ଚ ୪ ତାରିଖରେ ଏକ ଗ୍ରାଣ୍ଡ ରିସେପସନ୍ ପାର୍ଟି ଆୟୋଜନ ହେବାକୁ ଥିବା କୁହାଯାଉଛି। ହାଇଦ୍ରାବାଦରେ ଏହି ରିସେପସନ୍ ହେବ ବୋଲି ଚର୍ଚ୍ଚା ଚାଲିଛି।

ଏହା ପୂର୍ବରୁ ମଧ୍ୟ ଫେବୃଆରୀ ୨ ତାରିଖରେ ଉଭୟଙ୍କ ବିବାହ ହେବ ବୋଲି ଚର୍ଚ୍ଚା ହୋଇଥିଲା, କିନ୍ତୁ ସେଥି ମାତ୍ର ଗୁଜବ ବୋଲି ପ୍ରମାଣିତ ହୋଇଥିଲା। ଗତବର୍ଷ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଥିବା ଫଟୋ ଭାଇରାଲ ହୋଇଥିଲେ ମଧ୍ୟ, ଏନେଇ କୌଣସି ଅଧିକୃତ ସୂଚନା ମିଳିନାହିଁ। ସମ୍ପ୍ରତି ଉଭୟଙ୍କୁ ମୁମ୍ବାଇରେ ଦେଖିବାକୁ ମିଳିଥିଲା। ସେମାନେ ଅଲଗା ଅଲଗା ଫ୍ଲାଇଟ୍‌ରେ ଆସିଥିଲେ, କିନ୍ତୁ ପରେ ଗୋଟିଏ କାରରେ ଏକସାଥିରେ ଯାଇଥିଲେ। ଏହାପରେ ଅନୁମାନ କରାଯାଉଛି ଯେ ବିବାହ ପାଇଁ ସପିଂ କିମ୍ବା ପ୍ରସ୍ତୁତି ଚାଲିଛି। ତେବେ ଏପର୍ଯ୍ୟନ୍ତ ବିଜୟ କିମ୍ବା ରଶ୍ମିକା ଗଣମାଧ୍ୟମ ସମ୍ମୁଖରେ କୌଣସି ଅଧିକୃତ ଘୋଷଣା କରିନାହାନ୍ତି। ଫଳରେ, ବିବାହ କାର୍ଡ ନେଇ ଚର୍ଚ୍ଚା ସତ୍ୟ କି ଗୁଜବ—ସେଥି ପାଇଁ ଫ୍ୟାନ୍ସମାନେ ଅପେକ୍ଷାରେ ଅଛନ୍ତି।