ନୂଆଦିଲ୍ଲୀ:- ରେଳବାଇ ପକ୍ଷରୁ ଆଗାମୀ ଦିନରେ ରେଳ ବଗିରେ ସିସିଟିଭି କ୍ୟାମେରା ଲାଗଯିବ ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଲୋକସଭାରେ ସୂଚନା ଦେଇଛନ୍ତି। ପ୍ରତ୍ୟେକ ବଗିର ପ୍ରବେଶ ପଥରେ ୪ଟି ସିସିଟିଭି କ୍ୟାମେରା ଲାଗଯିବ। ଏହାବ୍ୟତୀତ ୧୫ ହଜାର ରେଳ ଇଞ୍ଜିନରେ ମଧ୍ୟ ଏହି ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି । ସେ କହିଛନ୍ତି ରେଳଯାତ୍ରାରେ ସୁରକ୍ଷା ତଥା ଆରାମ ବୃଦ୍ଧି କରିବା ପାଇଁ ରେଳ ମନ୍ତ୍ରଣାଳୟ ସବୁବେଳେ ତତ୍ପର ରହିଆସିଛି। ଏହି କ୍ରମରେ ପ୍ରତିଟି ଟ୍ରେନକୁ ସିସିଟିଭିଯୁକ୍ତ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏହା ଟ୍ରେନ ଭିତରେ କୌଣସି ଚୋରି ଅପରାଧ ଅଥବା ଗୁଣ୍ଡାଗିରିକୁ ରୋକିବା ବା ହ୍ରାସ କରିବାରେ ସହାୟକ ହେବ। ତଥା ଯାତ୍ରୀଙ୍କର ସୁରକ୍ଷା ଓ ନିରାପତ୍ତା ବୃଦ୍ଧି କରିବ। ଏହି ସବୁ କ୍ୟାମେରା ଇଲେକ୍ଟ୍ରୋନିକସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ମାନକ ପରୀକ୍ଷଣ ଏବଂ ଗୁଣାତ୍ମକ ପ୍ରମାଣିକରଣ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରମାଣିତ କରାଯିବ। ଆଗକୁ ସରକାର ଏଗୁଡିକରେ ରିଅଲଟାଇମ ନିରୀକ୍ଷଣ ଓ କୃତ୍ରିମ ବୁଦ୍ଧିମତ୍ତା ବ୍ୟବସ୍ଥା ଲାଗୁ କରିବାକୁ ପାଇଁ ଯୋଜନା ରଖିଛନ୍ତି।